ବିଜେଡି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Oct 4, 2019 - 06:15
 107
ଭୁବନେଶ୍ୱର, ୨/୧୦(ସକାଳଖବର): ତୃଣମୂଳ ସ୍ତରରେ ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟ ଏବଂ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ବିଚାରଧାରା ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀ ଓ ନେତା ମାନଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଜନସମ୍ପର୍କ ଯାତ୍ରା ମାଧ୍ୟମରେ ଲୋକମାନଙ୍କର ସମସ୍ୟା ଜାଣିବା ଓ ସମାଧାନ କରିବାପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ପରାମର୍ଶରେ କହିଛନ୍ତି । ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱର ୱାର୍ଡ ନଂ ୬୨ର କାରଗିଲ ରୋଡ୍ ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମାଜ ସେବା ତାଙ୍କର ପ୍ରିୟ ହୋଇଥିବାରୁ ବିଜେଡିର ସେବା ୱିଙ୍ଗ୍ ଗଠନ କରାଯିବ । ଏହି ୱିଙ୍ଗ୍ ବୃକ୍ଷରୋପଣ , ରକ୍ତଦାନ ଓ ସ୍ୱାସ୍ଥ୍ୟ ସହାୟତା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଓଡିଶାକୁ ସ୍ୱଚ୍ଛ ଓ ସବୁଜ କରିବା ସହ ଓଡିଶାବାସୀଙ୍କୁ ସୁସ୍ଥ ରଖିବା ଆମର ଲକ୍ଷ୍ୟ । ସେହିପରି ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଫଳ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୩ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ବହୁ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଛି । ବିଜେଡି ଦଳ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି । ଯାହା ଫଳରେ ବିଜେଡି ଚତୁର୍ଥ ଥର ପାଇଁ ସରକାରକୁ ଆସିପାରିଛି । ସେଥିପାଇଁ ଓଡିଶାବାସୀଙ୍କ ପାଖରେ ସେ କୃତଜ୍ଞ । ସେମାନଙ୍କ ସେବା ଆମର ମୂଳ କର୍ତବ୍ୟ ହେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଲୋକଙ୍କ ସହ ମିଶିବା , ସେମାନଙ୍କ ସମସ୍ୟା ଜାଣି ତାର ସମାଧାନ କରିବା ଆମର ମୁଖ୍ୟ କାର୍ଯ୍ୟ ହେବା ଉଚିତ୍ । ଏହା ବ୍ୟତୀତ ଗାନ୍ଧିଜୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ନିସ୍ୱାର୍ଥପରଭାବେ ସମାଜର ସେବା କରିବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ , ମନ୍ତ୍ରୀ ଅଶୋକ ପଣ୍ଡା , ବିଧାୟକ ଅନନ୍ତ ନାରାୟଣ ଜେନା , ସାଂସଦ ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।