ବଡ଼ ଫ୍ଲାଟ ଛାଡ଼ି ଛୋଟ ଫ୍ଲାଟରେ ରହିବାକୁ ପସନ୍ଦ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷ ସୁନକ

Oct 28, 2022 - 06:18
 40
ବଡ଼ ଫ୍ଲାଟ ଛାଡ଼ି ଛୋଟ ଫ୍ଲାଟରେ ରହିବାକୁ ପସନ୍ଦ କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷ ସୁନକ
ନୂଆଦିଲ୍ଳୀ(୨୮/୧୦): ପୁଣିଥରେ ୧୦ ଡାଉନିଂ ଷ୍ଟ୍ରିଟକୁ ଫେରିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ। ଚାନସେଲର ପଦରୁ ଇସ୍ତଫା ଦେବା ପରେ ସେ ସରକାରୀ ବାସଭବନ ଛାଡ଼ି ପରିବାର ସହିତ ପଶ୍ଚିମ ଲଣ୍ଡନର ଏକ ଫ୍ଲାଟରେ ରହୁଥିଲେ। ହେଲେ ଏବେ ପ୍ରଧାନମନ୍ତ୍ରୀ ହେବା ପରେ ସେ ପୁଣିଥରେ ତାଙ୍କ ସରକାରୀ ବାସଭବନକୁ ଫେରିବେ ବୋଲି ଋଷି ସୁନକଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି। ତେବେ ବଡ଼ କଥା ହେଲା ଋଷିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ବାସଭବନର ବଡ଼ ଫ୍ଲାଟ୍ ନମ୍ବର ୧୧କୁ ନ ଯାଇ ଛୋଟ ଫ୍ଲାଟ ନମ୍ବର ୧୦କୁ ବାଛିଛନ୍ତି। କାହିଁକି ସେ ଏମିତି ନିଷ୍ପତ୍ତି ନେଲେ ସେ ନେଇ ସୂଚନା ଦେଇଛନ୍ତି ତାଙ୍କ ପ୍ରବକ୍ତା। ତାଙ୍କ ପରିବାର ସେହି ଛୋଟ ଫ୍ଲାଟରେ ଖୁସୀ ଅଛି, ତେଣୁ ତାଙ୍କର ବଡ଼ ଫ୍ଲାଟର କୌଣସି ଆବଶ୍ୟକତା ନାହିଁ ବୋଲି ସୁନକଙ୍କ ପ୍ରବକ୍ତା କହିଛନ୍ତି। ୧୭୩୫ ରୁ ନମ୍ବର ୧୦ ଡାଉନିଂ ଷ୍ଟ୍ରିଟ୍ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ବାସଗୃହ ଭାବରେ ବ୍ୟବହାର ହୋଇଆସୁଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସହିତ ପ୍ରଧାନମନ୍ତ୍ରୀ ଅଫିସ୍ ଏବଂ ବିଶ୍ୱ ନେତାଙ୍କର ଆତିଥ୍ୟ ପାଇଁ ଅଲଗା ପ୍ରକୋଷ୍ଠ ଓ ବ୍ୟବସ୍ଥା ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମୟରେ ସୁନକ ଚାନ୍ସେଲର ଥିଲେ। ସେତେବେଳେ ସେ ପତ୍ନୀ ଅକ୍ଷତା ମୂର୍ତ୍ତି ଓ ଦୁଇ ଝିଅଙ୍କ ସହ ଏହି ନମ୍ବର ୧୦ ଡାଉନିଂ ଷ୍ଟ୍ରିଟରେ ରହୁଥିଲେ। ହେଲେ ଇସ୍ତଫା ଦେବା ପରେ ୱେଷ୍ଟ ଲଣ୍ଡନରେ ଥିବା ତାଙ୍କ ବାସଭବନକୁ ଚାଲିଆସିଥିଲେ। ତେବେ ପ୍ରଧାନମନ୍ତ୍ରୀ ବାସଭବନରେ ଥିବା ୧୧ ନମ୍ବର ଫ୍ଳାଟ ଚାନସେଲରଙ୍କ ପାଇଁ ଡିଜାଇନ କରାଯାଇଥିଲା। କିନ୍ତୁ ଏଠି ପ୍ରଧାନମନ୍ତ୍ରୀ ରହୁଥିଲେ। ଏଥିରେ ଚାରିଟି ବେଡରମ୍ ରହିଥିବା ବେଳେ ଏହା ନମ୍ବର ୧୦ ଫ୍ଳାଟ ଠାରୁ ବଡ଼। ଜନସନଙ୍କ ସମେତ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀ ଏହି ୧୧ ନମ୍ବର ଫ୍ଲାଟରେ ରହିଆସୁଛନ୍ତି। ହେଲେ ସୁନକ ଏଥିରେ ବ୍ୟତୀକ୍ରମ କରି ସେ ତାଙ୍କ ପୁର୍ବ ଫ୍ଲାଟ୍ ୧୦ ନମ୍ବରକୁ ବାଛିଛନ୍ତି। ସୂଚନା ଅଗଷ୍ଟରେ ନିର୍ବାଚନ ପୂର୍ବରୁ ସୁନକ ତାଙ୍କ ପୁରୁଣା ଫ୍ଲାଟକୁ ଫେରିବେ ବୋଲି ସୂଚନା ଦେଇଥିଲେ।