ପୁରୀରୁ ୪୩୦ କିମି ଦୂରରେ ବାତ୍ୟା ‘ଜୱାଦ’

Dec 4, 2021 - 05:38
 97
ପୁରୀରୁ ୪୩୦ କିମି ଦୂରରେ ବାତ୍ୟା ‘ଜୱାଦ’
ପୁରୀ: ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା । ପୁରୀରୁ ୪୩୦ କିମି ଦୂରରେ ବାତ୍ୟା ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ପୁରୀ ପ୍ରଶାସନ। ବାତ୍ୟା ପୂର୍ବରୁ ପୁରୀ କୃଷ୍ଣପ୍ରସାଦ ବ୍ଲକର ୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ନୂଆପଡା ପଞ୍ଚାୟତ ଜଙ୍ଗଲସାହିର ୨୦୦ ଲୋକ ଏବଂ ବଜ୍ରକୋଟର ୮୦ ଲୋକଙ୍କୁ ନିକଟସ୍ଥ ସ୍କୁଲ, କଲେଜ ଓ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି । ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କ ପାଇଁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଛି ପ୍ରଶାସନ। ସେପଟେ ବ୍ରହ୍ମଗିରି ବ୍ଲକର ୧୭୭ ଜଣଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି । ଆମ୍ବପଡା ଏବଂ ପଲଙ୍କ ପଞ୍ଚାୟତର ୧୭୭ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମଗିରି ବିଡିଓ । ସେହିପରି ବାତ୍ୟା ବିଶାଖାପଟନମଠୁ ୨୫୦ କିମି ଦୂରରେ ରହିଛି । ପାରାଦୀପରୁ ୫୧୦, ଗୋପାଳପୁରରୁ ୩୬୦ କିମି ଦୂରରେ ବାତ୍ୟା । ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି ବାତ୍ୟା ଜୱାଦ୍ । ଏହା କେନ୍ଦ୍ରୀୟପଶ୍ଚିମ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ପୂର୍ବାହ୍ନରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ତା’ପରେ ରିକର୍ଭ କରି ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରି ୫ ତାରିଖ ଅର୍ଥାତ୍ ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ପହଞ୍ଚି ବାତ୍ୟା ଧିରେ ଧିରେ ଦୁର୍ବଳ ହେବ । ଏହା କ୍ରମଶଃ ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳକୁ ଯାଇ ଦୁର୍ବଳ ହୋଇଯିବ ।