ପିପିଲିରେ ଆମ ବିଜୟ ସୁନିଶ୍ଚିତ: ଅପରାଜିତା

Sep 5, 2021 - 09:35
 122
ପିପିଲିରେ ଆମ ବିଜୟ ସୁନିଶ୍ଚିତ: ଅପରାଜିତା
ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଅକ୍ଟୋବର ୩ରେ ଭୋଟ ଗଣତି ହେବ । ଅର୍ଥାତ ବର୍ଷକ ପରେ ପିପିଲି ନୂଆ ବିଧାୟକ ପାଇବ । ତେବେ ଏହି ବିଧାୟକ ପଦ ପାଇଁ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଥିବାବେଳେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କିନ୍ତୁ ବିଜୟ ନେଇ ଏକଦମ ଆଶାବାଦୀ ହୋଇପଡ଼ିଛନ୍ତି । ଖାଲି ଆଶାବାଦୀ ନୁହେଁ ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ପିପିଲିରେ ଆମ ବିଜୟ ସୁନିଶ୍ଚିତ । ଦଳ ମଜଭୁତ ଅଛି । ପ୍ରଚାର କାର୍ଯ୍ୟ ବି ଜୋରଦାର ହେବ । ଆଉ ବିଜେପି ପ୍ରାର୍ଥୀ ହିଁ ବାଜିମାତ ମାରିବେ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ପ୍ରକାଶ ଯେ, ସ୍ଥଗିତ ଥିବା ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ । ବିଧାୟକ ପ୍ରଦୀପ ମହାରଥିଙ୍କ ମୃତୁ୍ୟ ପରେ ଏପ୍ରିଲ ୧୬ରେ ହେବାକୁ ଥିବା ଉପନିର୍ବାଚନ କୋଭିଡ ମାହାମାରୀ ପାଇଁ ଘୁଞ୍ଚି ମେ ୧୬ କୁ ସ୍ଥିର କରାଯାଇଥିଲା କିନ୍ତୁ କଂଗ୍ରେସ ପାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପାଇଁ ପୁନର୍ବାର ନିର୍ବାଚନ ସ୍ଥଗିତ ଥିଲା । ତେବେ ବର୍ତ୍ତମାନ ଏହି ଉପନିର୍ବାଚନ କରାଯିବ ବୋଲି ସ୍ଥିର କରାଯାଇଛି । ଏହାର ସମସ୍ତ ପ୍ରକ୍ରିୟା ସେପ୍ଟମ୍ବର ୨୦ରୁ ଆରମ୍ଭ ହୋଇ ଅକ୍ଟୋବର ୫ସୁଦ୍ଧା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ସମସ୍ତ କୋଭିଡ କଟକଣଶକୁ ଦୃଷ୍ଟିରେ ରଖି ଉପନିର୍ବାଚନ କରାଯିବ ବୋଲି କୁହାଯାଇଛି । ନିର୍ବାଚନ ଆଚରଣବିଧି ଅନୁସାରେ ସେପ୍ଟେମ୍ବର ୨୦ ତାରିଖରୁ ପ୍ରଚାର ପାଇଁ ଅନୁମତି ମିଳିବ ଓ ସମସ୍ତ ପ୍ରକାର କୋଭିଡ ଗାଇଡଲାଇନ ମାନି କ୍ୟାମ୍ପେନିଙ୍ଗ କରି ପାରିବେ । ଡୋର ଟୁ ଡୋର କ୍ୟାମ୍ପେନରେ ପାର୍ଥୀଙ୍କ ସହ କେବଳ ୫ଜଣ ରହିପାରିବେ । ଏହା ସହିତ ରୋଡ ସୋ, ବାଇକ ଓ ସାଇକେଲ ରାଲି କୁ ମଧ୍ୟ ବାରଣ କରାଯିବା ସହିତ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରାଯିବ ବୋଲି କୁହାଯାଇଛି ।