ପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶ ଛୁଆଁ
ବାରିପଦା, ୮/୧୧(ସକାଳଖବର): ଆଜିକାଲି ବଜାରରେ ପନିପରିବା ସହିତ ଆବଶ୍ୟକୀୟ ଖାଦ୍ୟସାମଗ୍ରୀର ମୂଲ୍ୟ ଏପରି ଆକାଶ ଛୁଅାଁ ହୋଇଛିଯେ ସମସ୍ତଙ୍କ ପରିବାରର ରନ୍ଧନ ଶାଳରେ ଝଡ଼ ସୃଷ୍ଟି କରାଇଦେଇଛି । ଗୃହିଣୀମାନେ ଘରେ ରୋଷେଇ ଶାଳକୁ ଯିବାକୁ ଭୟ କରୁଥିବା ବେଳେ ସାଧାରଣ ଜନତା ତ୍ରାହି ତ୍ରାହି ଡାକ ଛାଡ଼ିବା ଆରମ୍ଭ କରିଦେଇଛନ୍ତି । ପନିପରିବାଠାରୁ ଆରମ୍ଭ କରି ଡାଲି, ତେଲ, ଲୁଣ ପର୍ଯ୍ୟନ୍ତ ସବୁର ମୂଲ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । କମିବାର ନାମ ଧରୁ ନାହିଁ । ଜଣେ ସାଧାରଣ ଲୋକ ପାଇଁ ଆଳୁ ଓ ପିଆଜ ସବୁଠାରୁ ଆବଶ୍ୟକୀୟ ପରିବା ହୋଇ ପଡ଼ିଥିବା ବେଳେ ଏହି ଦୁଇ ଦ୍ରବ୍ୟର ମୂଲ୍ୟ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଗରୀବ ଓ ମଧ୍ୟବିତ ପରିବାରର ଲୋକେ ଶଙ୍କଟରେ ପଡ଼ିଛନ୍ତି । ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜର ମଫସଲ ହେଉ କିମ୍ବା ସହର ସବୁ ସ୍ଥାନରେ ଗରୀବ ଖଟିଖିଆ, ଆଦିବାସୀ ତଥା ମଧ୍ୟବିତ ବର୍ଗର ପରିବାର ପଖାଳ ସହିତ ପିଆଜ ଓ କଂଚା ଲଙ୍କାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଏହି ସମସ୍ତ ଦ୍ରବ୍ୟର କ୍ରମାଗତ ମୂଲ୍ୟବୃଦ୍ଧି ଏମାନଙ୍କ ଚଳଣିରେ ହଇଚଇ ସୃଷ୍ଟି କରିଛି । ଠିକ୍ ଏହି ସମୟରେ ପନିପରିବା ସହିତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ମୂଲ୍ୟରେ ବୃଦ୍ଧି ଘଟିଥିବା ହେତୁ ଜିଲ୍ଲାରେ ସାଧାରଣ ଜନତା ଏହି ବୋଝକୁ ମୁଣ୍ଡାଇବାକୁ ଅସମର୍ଥ ରହିଥିବାର ପରିଲକ୍ଷିତ ହୋଇଛି । ମୂଲ୍ୟ ବୃଦ୍ଧିକୁ ରୋକିବାରେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ ହୋଇ ପଡ଼ିଥିବାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ବାରିପଦା ବଜାରରେ ପନିପରିବା ଓ ନିତ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ହେବାକୁ ଲାଗିଛି । ପୁଣି ପଚଂକ ବ୍ରତ ଚାଲିଛି । ଏହି ସମୟରେ ସାଧାରଣ ବ୍ୟକ୍ତି ପକ୍ଷରେ ପରିବା କିଣିବା କଷ୍ଟ ସାପେକ୍ଷ ହୋଇ ପଡ଼ିଛି । ଗରିବ ଖଟିଖିଆମାନଙ୍କ ସହ ମଧ୍ୟବିତ ବର୍ଗର ଲୋକମାନେ ଏହାଦ୍ୱାରା ପ୍ରଭାବିତ ହେଲେଣି । ପରିବା କିଣି ଖାଇବା ଏକ ଦିବା ସ୍ୱପ୍ନରେ ପରିଣତ ହୋଇଯାଇଛି । କେବଳ ପରିବା ନୁହେଁ, ମଣିଷ ବ୍ୟବହାର କରୁଥିବା ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଏପରି ବୃଦ୍ଧି ପାଇଛିଯେ ବର୍ତମାନ ପରିବାର ଚଳାଇବା କଷ୍ଟକର ବ୍ୟାପାର ହୋଇପଡ଼ିଛି । ପରିବାର ଚଳାଇବା ନେଇ ବଜେଟରେ ନିଅଂଟିଆ ପରିସ୍ଥିତି ସୃଷ୍ଟି ହୋଇଛି ।