ନାଲକୋ ବିଶ୍ୱକର୍ମା ପୂଜା

Sep 4, 2018 - 17:48
 207
ଅନୁଗୋଳ ,୪/୯ (ସକାଳଖବର): ଆଉ ମାତ୍ର ୧୨ଟା ଦିନ ପରେ ଆରମ୍ଭ ହେବାକୁ ଯାଇଛି ପ୍ରସିଦ୍ଧ ନାଲକୋ ବିଶ୍ୱକର୍ମା ପୂଜା । ୨୩ଟି ମଣ୍ଡପରେ ବିରାଜମାନ କରିବେ ବିଶ୍ୱ ବିନ୍ଧାଣୀ । ସେଥିପାଇଁ ପୂଜା କମିଟି ଗୁଡ଼ିକ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଶୃଙ୍ଖଳିତ ଯାତ୍ରା ପାଇଁ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଯାତ୍ରା ଢ଼ାଞ୍ଚାରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ବିଗତ ବର୍ଷରେ ସାତ ଦିନ ବ୍ୟାପି ଜାତୀୟସ୍ତରୀୟ ପଲ୍ଲୀଶ୍ରୀ ମେଳା କରାଯାଇଥିଲା । ଏବର୍ଷ ପଲ୍ଲୀଶ୍ରୀ ମେଳାକୁ ସାରସ ମେଳାରେ ବଦଳାଇ ଦିଆଯାଇଥିବା ବେଳେ ଏହାର ଅବଧି ମଧ୍ୟ ବୃଦ୍ଧି କରାଯାଇଛି । କେବଳ ସେତିକି ନୁହେଁ, ପୂର୍ବ ଜାଗା ବି ବଦଳିଛି । ଏବର୍ଷ ନାଲକୋ ଗୋପବନ୍ଧୁ ପାର୍କ ସମ୍ମୁଖରେ ପ୍ରଥମ ଥର ପାଇଁ ସାରସମେଳା କରାଯିବାକୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ହୋଇଛି । ସେହିପରି ପୂର୍ବରୁ ଯେଉଁଠାରେ ପଲ୍ଲିଶ୍ରୀ ମେଳା କରାଯାଉଥିଲା ସେହି ପଡ଼ିଆରେ ଉଠା ଦୋକାନୀଙ୍କୁ ବେପାର କରିବାକୁ ସୁଯୋଗ ଦିଆଯିବ । ଗୋଟିଏ ପଡ଼ିଆରେ ଉଠା ଦୋକାନୀ ସବୁ ଏକାଠି ବସାଇବାକୁ ଚିନ୍ତା କରାଯାଉଛି । ପୁରୁଣା ପଲ୍ଲୀଶ୍ରୀ ମେଳା ପଡ଼ିଆ ପାଖରେ ଗତବର୍ଷ ଭଳି ଦୋଳି ପଡ଼ିବ । ଏଥର ଯାତ୍ରାର ଢ଼ାଞ୍ଚାଗତ ଯେଉଁ ପରିବର୍ତ୍ତନ କରାଯିବାକୁ ଯୋଜନା ହୋଇଛି । ତାହା ଦ୍ୱାରା ଯାତ୍ରା ପରିସର ଅଧିକ ବ୍ୟାପକ ଶୃଙ୍ଖଳିତ ହେବ । ଦର୍ଶକମାନେ ପୂଜା ମଣ୍ଡପ, ତୋରଣ, ମୂର୍ତ୍ତି , ସାଜସଜ୍ଜା ଗୋଟିଏ ଜାଗାରେ ଦେଖିବେ । ପୁରୁଣା ମୀନାବଜାର ପଡ଼ିଆରେ ଖାଦ୍ୟ ସାମଗ୍ରୀ ଓ ମନୋହରୀ ଜିନିଷ କିଣିବାର ମଜ୍ଜା ଉଠାଇବେ ।