ସଂସ୍କୃତି ବିଭାଗର ପୁସ୍ତକ ଚର୍ଚ୍ଚା
ଭୁବନେଶ୍ୱର, ୩୦/୭(ସକାଳଖବର): ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଓ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଭାରତର ଇତିହାସରେ ଥିଲା ଏକ କାଳଖଣ୍ଡ । ଏହି ସମୟରେ ଭାରତବର୍ଷକୁ ପ୍ରବେଶ କରିଥିଲା ନୂଆ ଚେତନା । କାବ୍ୟ-କବିତା, ଗଳ୍ପ, କଳା, ଭାସ୍କର୍ଯ୍ୟ ଓ ଆଧୁନିକ ନାଟକର ଧାରା ସାହିତ୍ୟ ଓ ସଂସ୍କୃତିରେ ଏକ ନବଜାଗରଣ ସୃଷ୍ଟି କରିଥିଲା । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଅନୁରୂପ ଭାବରେ ଏକ ସାଂସ୍କୃତିକ ଜଗତର ଅଭୁ୍ୟଥାନ ଘଟିଥିଲା ।
ବିଶିଷ୍ଟ ନାଟ୍ୟକାର, ନାଟ୍ୟ ଅଭିନେତା, ସମାଜ ସଂସ୍କାରକ ସ୍ୱର୍ଗତଃ ଜଗନ୍ମୋହନ ଲାଲାଙ୍କ ଦ୍ୱାରା ପ୍ରଥମ ଓଡ଼ିଆ ନାଟକ ‘ବାବାଜୀ’ ପୁସ୍ତକର ଚର୍ଚ୍ଚା ଅବସରରେ ମଂଚାସୀନ ଅତିଥିମାନେ ଉପରୋକ୍ତ ମତ ରଖିଛନ୍ତି । ଗତକାଲି ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଅଷ୍ଟମ ପୁସ୍ତକ ଚର୍ଚ୍ଚା ସଂପାନରେ ଆଦି ନାଟ୍ୟକାର ସ୍ୱର୍ଗତଃ ଜଗନ୍ମୋହନ ଲାଲାଙ୍କ ନାଟକ ବାବାଜୀ ପୁସ୍ତକର ଚର୍ଚ୍ଚା ହୋଇଥିଲା । ଏହି ସଂପାନର ପୁସ୍ତକ ଚର୍ଚ୍ଚା କରିଥିଲେ ବିଶିଷ୍ଟ ସାହିତି୍ୟକା ତଥା ସମାଲୋଚିକା ପ୍ରଫେସର ସଂଘମିତ୍ରା ମିଶ୍ର । ଶ୍ରୀମତୀ ମିଶ୍ର ଏହି ଅବସରରେ କହିଥିଲେ, ଜଗନ୍ମୋହନଙ୍କ ପ୍ରତ୍ୟେକ ସାହିତ୍ୟକୃତିର ଅନ୍ତଃସ୍ୱର ହେଉଛି ସାମାଜିକ ପରିବର୍ତନ । ବାବାଜୀ ନାଟକରେ ତତ୍କାଳୀନ ସମାଜରେ ଥିବା କୁସଂସ୍କାର ଓ ଅନ୍ଧବିଶ୍ୱାସ ବିରୋଧରେ ଜଗନ୍ମୋହନ ସ୍ୱର ଉତୋଳନ କରିଥିଲେ । ବିଭିନ୍ନ ଚରିତ୍ରମାନଙ୍କୁ ନେଇ ଚାରିଗୋଟି ଭାଷାରେ ସେ ସଂଳାପ ରଚନା କରିଥିଲେ । ବିଭିନ୍ନ ଚରିତ୍ର ଭିନ୍ନ ଭିନ୍ନ ଭାଷା ଯଥା- ହିନ୍ଦୀ, ଓଡ଼ିଆ, ବଙ୍ଗାଳୀ ଓ ଇଂରାଜୀ ଭାଷାରେ ସଂଳାପ ପରିବେଷଣ କରିଥିଲେ । ଏହାର ଅର୍ଥ ସେତେବେଳର ଓଡ଼ିଆ ଲେଖକଙ୍କର ଚାରିଗୋଟି ଭାଷାରେ ପ୍ରବେଶ ଥିଲା । ନାଟକଟି ସାଙ୍ଗୀତିକତା ଦୃଷ୍ଟିରୁ ଗୋଟିଏ ଆଧୁନିକ ନାଟକ । କାରଣ ସେତେବେଳେ ଓଡ଼ିଶାରେ ସୁଆଙ୍ଗ, ପାଲା, ଗୀତିନାଟ୍ୟଗୁଡ଼ିକରେ ସଙ୍ଗୀତ ମାଧ୍ୟମରେ ବିଷୟବସ୍ତୁ ପରିବେଷଣ କରାଯାଉଥିବା ସ୍ଥଳେ ବାବାଜୀ ନାଟକରେ ମାତ୍ର ତିନିଗୋଟି ସଙ୍ଗୀତ ସ୍ଥାନିତ ହୋଇଛି । ସେହି ଦୃଷ୍ଟିରୁ ଏହା ଏକ ଆଧୁନିକ ନାଟକ । ଶ୍ରୀମତୀ ମିଶ୍ର ପୁଣି କହିଥିଲେ, ଜମିଦାରଙ୍କ କୋଠିରେ ଧନ, ପୁରୋହିତଙ୍କ ପୋଥିରେ ଧର୍ମ ପରି ଅନେକ ଓଡ଼ିଆ ଢଗଢମାଳି ନାଟକରେ ସ୍ଥାନ ପାଇଛି । ଏହା ନାଟକରେ କଥିତ ଓଡ଼ିଆ ଭାଷାର ପ୍ରାଧାନ୍ୟକୁ ସୁଚାଇଛି । ତତ୍କାଳୀନ ଓଡ଼ିଶାରେ ବୈଷ୍ଣବ ଧର୍ମର ନକରାତ୍ମକ ଦିଗକୁ ଆଲୋକପାତ କରିବାକୁ ଜଗନ୍ମୋହନ ଯଥେଷ୍ଟ ଯତ୍ନବାନ ହୋଇ ଯୁବସମାଜକୁ ଅନ୍ଧବିଶ୍ୱାସ ଭାବରେ କୌଣସି ବିଷୟ ଗ୍ରହଣ ନକରିବାକୁ ନାଟକ ମାଧ୍ୟମରେ ବାର୍ତା ଦେଇଛନ୍ତି ।
ସମୀକ୍ଷା କରିବା ଅବସରରେ ଶ୍ରୀମତୀ ମିଶ୍ର ପୁଣି କହିଥିଲେ ‘ବାବାଜୀ ନାଟକ ଏକାଙ୍କିକା ସଦୃଶ । ଏହା ନାୟିକା ବିହୀନ ନାଟକ । ହାସ୍ୟରସଧର୍ମୀ ହେଲେ ମଧ୍ୟ କେତେକାଂଶରେ ବିପରୀତ ବୋଧକ । ବାବାଜୀ ହୋଇ ସ୍ୱେଚ୍ଛାଚାରିତା ଗୁଣକୁ ସମାଲୋଚନା କରିଥିବାବେଳେ ଅନେକ ସମୟରେ ଜଗନ୍ମୋହନ ବାବାଜୀ ଚରିତ୍ରକୁ ସଂସାର ବିମୁଖ ହୋଇ ଆତ୍ମସନ୍ତୋଷମୂଳକ ଦର୍ଶାଇଛନ୍ତି ବୋଲି ଶ୍ରୀମତୀ ମିଶ୍ର କହିଥିଲେ । ତେବେ ଏଥିରେ କୁସଂସ୍କାରକୁ ଗୁରୁତ୍ୱ ଦିଆଯାଇଛି । ଏହା ଏକ ସାମାଜିକ ନାଟକ, ଆଧୁନିକ ନାଟକ ଓ ପରୀକ୍ଷାଧର୍ମୀ ନାଟକ ଅଟେ ।