ଧନୁ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ

Mar 25, 2019 - 05:53
 186
ବାରିପଦା,୨୦/୩(ସକାଳଖବର): ମୟୂରଭଞ୍ଜ ଲୋକସଭାର ପୂର୍ବତନ ସାଂସଦ ତଥା ପୂର୍ବତନ ଜିଲ୍ଲା ସଭାପତି ଲକ୍ଷ୍ମଣ ଟୁଡ଼ୁ କ୍ଷମତା ଳୋଭର ବଶବର୍ତୀ ହୋଇ ବାରମ୍ବାର ନିଜର ରଙ୍ଗ ବଦଳାଇବା ଆରମ୍ଭ କରିଛନ୍ତି । ଆଜି ଭୂବନେଶ୍ୱରଠାରେ ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଜେଏମଏମକୁ ଛାଡ଼ପତ୍ର ଦେଇ ବିଜେପିର ହାତ ଧରିଥିବା ବିଷୟକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ହାଟବଜାରରେ ଚର୍ଚ୍ଚା ଜୋର ଧରିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପୂର୍ବତନ ସାଂସଦ ୨୦୧୮ ଅକ୍ଟୋବର ୬ରେ ଶଙ୍ଖ ଛାଡ଼ି ହାତରେ ଧନୁତୀର ଧରିଥିଲେ । ବାରିପଦା ପୌରପରିଷଦର ଶିବ ପ୍ରିୟା ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବିବାଦୀୟ ବୟାନରେ ସିଧାସଳଖ ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତିକେୟନ ପାଣ୍ଡିଆନ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ସମୟରେ ଝାମୁମୋରେ ରାଜ୍ୟ ସଭାପତି ତଥା ବର୍ତମାନ ବିଜଦର ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ସହିତ ରାଧେରାଧେ ନ୍ୟାୟରେ ଜିଲ୍ଲାରୁ ବାହାରକୁ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ ରହିଥିଲେ । ସୁଦାମଙ୍କ ସହିତ ରହିଆସିଥିବା ନିବିଡ଼ ସମ୍ପର୍କ ଫଳରେ ପାଣ୍ଡିଆନଙ୍କ ପରାମର୍ଶରେ ସୁଦାମ ଝାମୁମୋ ତ୍ୟାଗ କରି ବିଜଦରେ ଲୀନ ହେଲେ । ଶ୍ରୀ ଟୁଡ଼ୁ ଦୁଇ ଦୁଇ ପାଳି ବିଜଦର ମୟୂରଭଞ୍ଜ ଜିଲ୍ଲା ସଭାପତି ଦାୟିତ୍ୱରେ ରହିଥିଲେ ଓ ୨୦୦୯ରେ ଲୋକସଭା ସାଂସଦ ରହିଥିଲେ । ଜିଲ୍ଲାର ସମସ୍ୟା ଓ ସାମଗ୍ରିକ ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସାକ୍ଷାତ କରିବାକୁ ଗଲେ ପାଣ୍ଡିଆନଜୀ ସୁଯୋଗ ଦେଉନଥିଲେ । ସାଂସଦ ଭାବେ ଜିଲ୍ଲାରେ ସୁପର ହାଇୱେ ନିର୍ମାଣ ତାଙ୍କର ଉଲ୍ଲେଖନୀୟ ସଫଳତା ସହିତ ରେଳବାଇ କ୍ଷେତ୍ରରେ ସାମଗ୍ରି ବିକାଶ ଦାବିକୁ ନେଇ ଈର୍ଷାନ୍ୱିତ ହୋଇପଡ଼ିଥିଲେ । ମୋଟ ଉପରେ ପାଣ୍ଡିଆନଙ୍କ ଇସାରାରେ ବିଜଦରେ ସେ କୋଣଠେସା ହୋଇପଡ଼ିଥିଲେ ଓ ସେଥିରେ ଅଣନିଶ୍ୱାସୀ ହୋଇ ଶେଷରେ ଦଳଛାଡ଼ି ଝାମୁମୋରେ ମିଶିବାକୁ ଏକପ୍ରକାରର ବାଧ୍ୟ ହୋଇଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତାଙ୍କର ଏହି ବିବାଦୀୟ ବୟାନ ବର୍ତମାନ ବୁମେରାଂ ହୋଇ ଯାଇଛି । ଯଦି ବିଜେଡ଼ିରେ ଅଣନିଶ୍ୱାସୀ ହୋଇ ନିଜର ନିଶ୍ୱାସ ଫେରାଇବା ନିମନ୍ତେ ଜେଏମଏମରେ ଯୋଗ ଦେଇଥିଲେ, ତେବେ କେଉଁ କାରଣରୁ ଜେଏମଏମରେ ସାଢେ଼ ୫ ମାସ ପୂରଣ କରିପାରିଲେ ନାହିଁ । ପୁଣି ଅଣନିଶ୍ୱାସୀ ହୋଇ ଜୀବନ ବଂଚାଇବା ନିମନ୍ତେ ଜେଏମଏମକୁ ଛାଡ଼ପତ୍ର ଦେଇ ହାତରେ ପଦ୍ମ ଧରିବାକୁ ବାଧ୍ୟ ହେଲେ । ଏବିଷୟରେ ପୂର୍ବତନ ସାଂସଦ ଶ୍ରୀଟୁଡ଼ୁଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ମୋବାଇଲ ନମ୍ବର ୯୪୩୮୩୯୭୦୮୭କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ତେବେ ଜେଏମଏମର ଜିଲ୍ଲା ସଭାପତି ଫାଗୁ ହାଁସଦାଃ ତାଙ୍କ ପ୍ରତିକ୍ରୟାରେ କହିଥିଲେ, ଲକ୍ଷ୍ମଣ ଟୁଡ଼ୁ ବାରମ୍ବାର ରଙ୍ଗ ବଦଳାଇ ପାରୁଥିବା ବହୁରୂପୀ ଏଣ୍ଡଅ । ତାଙ୍କ ନିକଟରେ ନୀତି ଓ ଆଦର୍ଶ ବୋଲି କିଛି ନାହିଁ । ତାଙ୍କ ମଧ୍ୟରେ କ୍ଷମତା ଦଖଲର ଲୋଭ ଭରି ରହିଛି ।