ବିଜେପିର ପ୍ରତାରଣା ଓ ପ୍ରହେଳିକାର ସମାବେଶ – ବିଜେଡି
ଭୁବନେଶ୍ୱର,୧୦/୨(ସକାଳଖବର): ବିଭ୍ରାନ୍ତିକର ତଥ୍ୟ ଓ ମତ ଦେଇ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ଅପଚେଷ୍ଟା ୨୦୧୪ରୁ ବିଜେପି କରିଥିଲେ ହେଁ ସେହି କ୍ରମରେ ଏବେ ଆଉ ଏକ ମିଥ୍ୟା ପ୍ରଚାର ଓ ପ୍ରହେଳିକା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛି । ଏହି ପ୍ରହେଳିକାର ଶୀର୍ଷକ ହେଉଛି, ପ୍ରତିଶ୍ରୁତି ସମାବେଶ । ବାସ୍ତବରେ ଏହା ପ୍ରତିଶ୍ରୁତି ନୁହେଁ, ପ୍ରତାରଣାର ସମାବେଶ ବୋଲି ବିଜେଡି ପକ୍ଷରୁ ପ୍ରକାଶ କରାଯାଇଛି ।
ବିଜେଡିର ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା କହିଛନ୍ତି ଯେ ଏହି କଥିତ ସମାବେଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଓଡ଼ିଶାରେ ସରକାରକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବେ, ତାହା କହୁଛନ୍ତି । ଏହି ସମାବେଶରେ କୁହାଯାଉଛି ଯେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ, ଗରିବ ଲୋକଙ୍କୁ ଜମି ପଟ୍ଟା ଓ ଘର ଦିଆଯିବ ଏବଂ ପ୍ରତ୍ୟେକଟି ଘରକୁ ଶୌଚାଳୟ ଓ ପାନୀୟ ଜଳ ଯୋଗାଇ ଦିଆଯିବ । ବିଡମ୍ବନାର ବିଷୟ ହେଉଛି ଯେ ଏହି ବିଜେପି ୨୦୧୪ ନିର୍ବାଚନ ପୂର୍ବରୁ ଅନେକ ଏପରି ପ୍ରତିଶ୍ରୁତି ଦେଇଥିଲା, ଯାହା ପ୍ରତାରଣାରେ ପରିଣତ ହୋଇଛି ।
ସେ କହିଛନ୍ତି ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ପ୍ରଥମ ପୃଷ୍ଠାର ପ୍ରଥମ ନମ୍ବରରେ ଉଲ୍ଲେଖ କରିଥିଲା ଯେ ଯଦି ସରକାରକୁ ଆସନ୍ତି, ତେବେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବେ । ୫ବର୍ଷ ବିତିଗଲେ ହେଁ ଏବଂ କେନ୍ଦ୍ରରେ ବିଜେପି ସରକାର ଥାଇ ମଧ୍ୟ ଏ ସଂପର୍କରେ ବିଜେପି ନିରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଯେ ୨୦୧୪ ନିର୍ବାଚନରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ଯେ ସରକାରକୁ ଆସିଲେ ପ୍ରତିବର୍ଷ ୨ କୋଟି ଚାକିରି ଭାରତବର୍ଷରେ ସେମାନେ ପ୍ରଦାନ କରିବେ । ଏହା ଅନୁଯାୟୀ ୫ ବର୍ଷରେ ୧୦ କୋଟି ଚାକିରି ଓ ସମାନ ଅନୁପାତରେ ଓଡ଼ିଶା ପାଇଁ ୩୬ଲକ୍ଷ ଚାକିରି ପ୍ରଦାନ କରିବା ତ ଦୂରର କଥା, ହଜାରେ ଚାକିରି ଦେଇପାରିଲେ ନାହିଁ । ଅପରପକ୍ଷରେ, ଗତବର୍ଷ ମଧ୍ୟରେ ଭାରତବର୍ଷରେ ୧ କୋଟିରୁ ଅଧିକ ଚାକିରି ସୁଯୋଗ ଦେଶ ହରାଇଛି ବୋଲି ସିଏମଆଇଇ ସଂସ୍ଥା ଦ୍ୱାରା ଏକ ରିପୋର୍ଟରେ ଦର୍ଶାଯାଇଛି ।