ଜିଲ୍ଲାପାଳମାନଙ୍କୁ ଏହି ନିର୍ଦ୍ଦେଶ ଦେଲେ ଏସଆରସି

Sep 14, 2021 - 05:32
 98
ଜିଲ୍ଲାପାଳମାନଙ୍କୁ ଏହି ନିର୍ଦ୍ଦେଶ ଦେଲେ ଏସଆରସି
ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବେହାଲ ହୋଇଯାଇଛି । ଅନେକ ଅଂଚଳରେ ଲୋକମାନେ ଜଳବନ୍ଦୀ ରହିଛନ୍ତି । ବନ୍ୟା ହୋଇନଥିଲେ ବି ବନ୍ୟା ଆଶଙ୍କା ଏବେବି ଟଳିନାହିଁ । ଏସବୁକୁ ଆଖି ଆଗରେ ରଖି ଏସଆରସି ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ସତର୍କ ରହି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏସଆରସି କହିଛନ୍ତିଯେ, ଅନେକ ଅଂଚଳରେ ଜଳବନ୍ଦୀ ଅବସ୍ଥା ସୃଷ୍ଟିହୋଇଛି । ଯଦି କୌଣସି ଗ୍ରାମରେ ପାଣି ପଶି ଯାଇଥାଏ ସେହିସବୁ ଅଂଚଳରେ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବା ସହ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇଦେବାକୁ କୁହାଯାଇଛି । ଏତଦବ୍ୟତୀତ ଲଗାଣ ବର୍ଷା ଯୋଗୁଁ ଯେଉଁସବୁ ସ୍ଥାନରେ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବ ତୁରନ୍ତ ତାହାର ମରାମତି କରିବାକୁ ବି ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ଆଜି ସକାଳ ସାଢେ଼ ୫ଟା ବେଳକୁ ଏହି ଅବପାତ ପଶ୍ଚିମ ଓ ଉତରପଶ୍ଚିମ ଦିଗରେ ଘଂଟା ପ୍ରତି ୨୧ କିମି ବେଗରେ ଗତି କରୁଛି । ଏବେ ଏହାର ପ୍ରକୋପ ଉତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତର ଛତିଶଗଡ଼ ସୀମାନ୍ତବର୍ତୀ ଜିଲ୍ଲାରେ ଦେଖିବାକୁ ମିଳୁଛି । ଝାରସୁଗୁଡ଼ାର ପଶ୍ଚିମ-ଉତରପଶ୍ଚିମ ଦିଗରେ ୫୦ କିମି ଦୂରତାରେ ଅବପାତ କେନ୍ଦ୍ରୀଭୂତ ହୋଇଛି । ଏହି ଅବପାତ ପଶ୍ଚିମ ଓ ଉତରପଶ୍ଚିମ ଦିଗରେ ଗତି କରି ଉତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଅତିକ୍ରମ କରୁଛି । ଫଳରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି । ତେବେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଦୁର୍ବଳ ହେବବୋଲି ଆକଳନ କରାଯାଇଛି ।