ଏସିଆଡ଼ ; ବଜରଙ୍ଗ ପୁନିଆଙ୍କ ସ୍ୱର୍ଣ୍ଣିମ ବିଜୟ

Aug 20, 2018 - 19:54
 197
ଏସିଆଡ଼ ; ବଜରଙ୍ଗ ପୁନିଆଙ୍କ ସ୍ୱର୍ଣ୍ଣିମ ବିଜୟ
ଜାକର୍ତ୍ତା ୨୦/୮ :ଅଷ୍ଟାଦଶ ଏସୀୟ କ୍ରୀଡ଼ାର ପ୍ରଥମ ଦିନରେ ହିଁ ଭାରତ ପଦକ ଖାତା ଖୋଲିଛି। ଭାରତ ଆଜି ଗୋଟିଏ ସ୍ୱର୍ଣ୍ଣ ସହ ମୋଟ ଦୁଇଟି ପଦକ ଜିତି ନେଇଛି। ହେଲେ ରବିବାରର ସବୁଠାରୁ ବଡ଼ ଖୁସି ଖବର କୁସ୍ତି ଆଖଡ଼ାରୁ ମିଳିଛି। ହରିଆଣା ପହିଲମାନ ବଜରଙ୍ଗ ପୁନିଆ ୬୫ କିଲୋଗ୍ରାମ ଫ୍ରି’ ଷ୍ଟାଇଲ୍‌ରେ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଆଧିପତ୍ୟ ବିସ୍ତାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ମଧ୍ୟ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ଫାଇନାଲକୁ ଉନ୍ନୀତ ହେବା ପଥରେ ବଜରଙ୍ଗ ତାଙ୍କର ୩ଟିଯାକ ମୁକାବିଲାକୁ ସହଜରେ ଜିତିଥିଲେ। ବଜରଙ୍ଗ ସେମିଫାଇନାଲରେ ମଙ୍ଗୋଲିଆର ବାଦ୍‍ଚୁଲୁନ ବାତ୍‍ମାଗ୍‍ନାଇଙ୍କୁ ୧୦-୦ ପଏଣ୍ଟରେ ପରାସ୍ତ କରିଥିବାବେଳେ କ୍ୱାର୍ଟରଫାଇନାଲରେ ତାଜିକିସ୍ତାନର ଫୈଜିଏଭ୍‍ ଅବଦୁଲକ୍ୱାସିମଙ୍କୁ ୧୨-୨ ପଏଣ୍ଟରେ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ବଜରଙ୍ଗ ଉଜ୍‍ବେକିସ୍ତାନର ସିରୋଜିଦ୍ଦିନ ଖାସାନୋଭ୍‍ଙ୍କୁ ୧୩-୩ ପଏଣ୍ଟରେ ପରାସ୍ତକରି ଅଭିଯାନ ଆରମ୍ଭ କରିଥିଲେ। ବଜରଙ୍ଗ ପୁନିଆ ୧୮ଶ ଏସୀୟ କ୍ରୀଡ଼ାରେ ଦେଶକୁ ପ୍ରଥମ ସ୍ୱର୍ଣ୍ଣପଦକ ଜିତାଇବା ପରେ ଚାରିଆଡ଼ୁ ତାଙ୍କ ପ୍ରତି ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।