ଅଷ୍ଟମ ଶ୍ରେଣୀ ଛାତ୍ରୀର ମୃତୁ୍ୟକୁ ନେଇ ଉତ୍ତେଜନା

Mar 7, 2019 - 08:15
 152
ଅଷ୍ଟମ ଶ୍ରେଣୀ ଛାତ୍ରୀର ମୃତୁ୍ୟକୁ ନେଇ ଉତ୍ତେଜନା
ବାରିପଦା,୬/୩(ସକାଳଖବର): ମୟୂରଭଞ୍ଜ ଜିଲ୍ଲାରେ ଆଶ୍ରମ, ସେବାଶ୍ରମ ଓ କନ୍ୟାଶ୍ରମ ବିଦ୍ୟାଳୟ ଉପରେ ପଡ଼ିଛି ଛନି ମହାରାଜାଙ୍କ ପ୍ରକୋପ । ପ୍ରଥମେ ନାବାଳିକା ଛାତ୍ର ଗର୍ଭବତୀ ହେବା ଘଟଣା ପରେ ନିମ୍ନମାନର ଖାଦ୍ୟ ଏବଂ ବର୍ତ୍ତମାନ ସଠିକ୍ ସମୟରେ ଚିକିତ୍ସା ହୋଇପାରି ନଥିବା କାରଣରୁ ୮ମ ଶ୍ରେଣୀ ଛାତ୍ରୀଙ୍କ ମୃତୁ୍ୟ ଅଭିଯୋଗ ଆସିଛି । ଫଳରେ ଜିଲ୍ଲା ପ୍ରଶାସନକୁ ହଟହଟାର ସମ୍ମୁଖୀନ ହେବା ପରେ ଆନେ୍ଦାଳନକାରୀଙ୍କ ଦାବି ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ପଡ଼ିଛି । ଦାବି ଅନୁସାରେ ମୃତ ଛାତ୍ରୀଙ୍କ ପରିବାରକୁ ନଗଦ ୫୦ ହଜାର ଟଙ୍କା ଓ ପରବର୍ତ୍ତି ସମୟରେ ୨ଲକ୍ଷ ଟଙ୍କାର ଚେକ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନର ଘୋଷଣା ସହ ଘଟଣାର ଦନ୍ତ ପରେ ଦୋଷିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ବୁଡ଼ିଖମାରୀ ଗ୍ରାମପଞ୍ଚାୟତର ଜଳଡ଼ିହା ଗ୍ରାମର ମହେନ୍ଦ୍ର ପାତ୍ରଙ୍କ ଝୀଅ ବବିତା ପାତ୍ର ରାସଗୋବିନ୍ଦପୁର ବ୍ଲକ ମାଣିଦାସ୍ଥିତ ସରକାରୀ କନ୍ୟାଶ୍ରମର ଛାତ୍ରୀନିବାସରେ ରହି ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲା । ମାର୍ଚ୍ଚ ୩ ରବିବାର ପର୍ଯ୍ୟନ୍ତ ସୁସ୍ଥ ସବଳ ରହିଥିଲା । କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ନଥିଲା । ଫୋନରେ ପରିବାର ସହିତ ହସଖୁସିରେ କଥାବାର୍ତ୍ତା କରିଥିଲା । ଗତ ଫେବୃଆରୀ ୪ ସୋମବାର ରାତି ପ୍ରାୟ ୮.୪୫ରେ ହଠାତ୍ ବବିତା ଅସୁସ୍ଥ ହୋଇପଡ଼ି ରାସଗୋବିନ୍ଦପୁର ଡ଼ାକ୍ତରଖାନାରେ ଚିକିତ୍ସା ହେଉଥିବା ବିଷୟରେ ଛାତ୍ରୀନିବାସର ପାଚିକା ନିକଟରୁ ଫୋନରେ ଖବର ପାଇଥିଲେ ବବିତାର ବାପା ମହେନ୍ଦ୍ର । ତୁରନ୍ତ ବାରିପଦାସ୍ଥିତ ପିଆରଏମ ସରକାରୀ ମେଡ଼ିକାଲ କଲେଜକୁ ନେଇ ଆସିବାକୁ ପରାମର୍ଶ ଦେଇ ବାରିପଦାକୁ ଦୌଡ଼ି ଆସି ଝିଅର ମୃତ ଶରୀରକୁ ଦେଖିବାକୁ ପାଇଥିଲେ । କନ୍ୟାଶ୍ରମର ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ମାଝିଙ୍କୁ ଝିଅର କଣ ହୋଇଥିଲା ବୋଲି ପଚାରି ଥିଲେ ବାପା – । କିନ୍ତୁ, ପ୍ରଧାନଶିକ୍ଷକ ସେହି ସମୟରେ ନିଶାରେ ଚୁର ଥିବାରୁ ତାଙ୍କ ନିକଟରୁ ଉତ୍ତର ପାଇବା ବଦଳରେ ଶୁଣିଥିଲେ ଅଶାଳୀନ ଶବ୍ଦ । ଉକ୍ତ ପ୍ରଧାନ ଶିକ୍ଷକ ପ୍ରହ୍ଲାଦଙ୍କ ବିରୋଧରେ ଅତୀତରେ ବହୁ ଅଭିଯୋଗ ରହିଆସିଥିଲେ ମଧ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଛତ୍ରଛାୟା ତଳେ ରହିଥିବାରୁ ତାଙ୍କୁ ପ୍ରତ୍ୟେକ ଥର କ୍ଲିନଚିଟ ମିଳିଆସୁଥିଲା ।