୭୫ ନମ୍ବର ବୁଥରେ ଇଭିଏମ୍ ଅଚଳ

Nov 3, 2022 - 05:51
 44
୭୫ ନମ୍ବର ବୁଥରେ ଇଭିଏମ୍ ଅଚଳ
ଭଦ୍ରକ: ଭୋଟ୍ ଦାନ ଆରମ୍ଭରୁ ଇଭିଏମ୍ ଅଚଳ । ୭୫ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଛି । ବୁଥରେ ମାତ୍ର ୧୬ ଜଣ ଭୋଟ୍ ଦେବା ପରେ ଇଭିଏମ୍ ଖରାପ ହୋଇଯାଇଥିଲା । ଏହା ପରେ ମତଦାତା ମାନେ ଭୋଟ୍ ଦେବା ପାଇଁ ଅପେକ୍ଷା କରି ରହିଥିଲେ । ଲମ୍ବା ଧାଡିରେ ଅନେକ ସମୟ ଠିଆ ହୋଇଥିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଭୋଟ୍ ଦାନ କେନ୍ଦ୍ର ପରିଦର୍ଶନ କରିଥିଲେ । କିଛି ସମୟ ପରେ ଇଭିଏମ୍ ଠିକ୍ କରାଯାଇଥିଲା । ଏହା ପରେ ଏହି ବୁଥରେ ମତଦାନ ସ୍ୱାଭାବିକ ହୋଇଛି । ପ୍ରକାଶଯେ ଧାମନଗର ଉପନିର୍ବାଚନ ପରିପ୍ରେକ୍ଷୀରେ ଆଜି ମତଦାନ ଜାରି ରହିଛି । ଆଜି ଧାମନଗର ଉପନିର୍ବାଚନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି ।ଏହା ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଚାଲିବ।। ନିଜ ବିଧାୟକ ବାଛୁଛନ୍ତି ଧାମନଗର ବାସୀ। ତେବେ ସକାଳ ୯ଟା ସୁଦ୍ଧା ୧୦.୨୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଧାମନଗର ଉପନିର୍ବାଚନ ପାଇଁ ୨୫୨ ବୁଥ୍‌ରେ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ପ୍ରତି ବୁଥ୍‌ରେ ୪ ଜଣ ନିୟୋଜିତ ହୋଇଥିବା ବେଳେ ଶହେ ଜଣ ପୋଲିଂ ଅଫିସରଙ୍କୁ ଯେ କୌଣସି ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ କରି ରଖାଯାଇଛି । ବୁଥ୍‌ର ଶହେ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇ ପାରିବେ ନାହିଁ । କୌଣସି ବ୍ୟାନର୍‌ କିମ୍ବା ପୋଷ୍ଟର୍‌ ଲଗାଇ ପାରିବେ ନାହିଁ । ନିୟମ ଭଙ୍ଗ କଲେ ଗିରଫ କରାଯିବ । ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ୍‌, ପାନ୍‌ କାର୍ଡ଼, ଆଧାର କାର୍ଡ଼ ସମେତ ୧୨ଟି ଅନ୍ୟ ପ୍ରମାଣପତ୍ର ଦେଖାଇ ଭୋଟ ଦେଇପାରିବେ । ୨୫୨ ବୁଥ୍‌ ମଧ୍ୟରୁ ୧୧୦ ସମ୍ୱେଦନଶୀଳ ବୁଥ ରହିଛି । ସେଥିରୁ ୧୨୬ଟିରେ ୱେବକାଷ୍ଟିଂ ହେବ । ୧୫ଟି ମଡେଲ ବୁଥ ଓ ସହରାଞ୍ଚଳରେ ୫ଟି ପିଙ୍କ୍‌ ବୁଥ କରାଯାଇଛି । ଯାହା କେବଳ ମହିଳା ଅଧିକାରୀଙ୍କ ଦ୍ୱାରା ପରିଚାଳନା କରାଯାଉଛି । ଏହି ନିର୍ବାଚନରେ ବିଜେଡିରୁ ଅବନ୍ତୀ ଦାସ, ବିଜେପିରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ୟ୍ୟବଂଶୀ ସୂରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ଓ ବିଜେଡି ଟିକେଟ୍‌ ନପାଇ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ପ୍ରାର୍ଥୀ ହୋଇଛନ୍ତି । ଏହି ୪ ଜଣଙ୍କ ବ୍ୟତୀତ ଅନ୍ୟ ଜଣେ ପ୍ରାର୍ଥୀ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ୨୫୨ଟି ବୁଥ୍‌ରେ ମୋଟ ୨ ଲକ୍ଷ ୩୮ହଜାର ୪୧୭ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୧ ଲକ୍ଷ ୨୩ ହଜାର ୩୮ ପୁରୁଷ, ୧ ଲକ୍ଷ ୧୫ ହଜାର ୩୪୬ ମହିଳା ଓ ୩୩ ଜଣ ଟ୍ରାନ୍ସଜେଣ୍ଡର ରହିଛନ୍ତି ।