୫ ବର୍ଷରେ ୫୦ଟି ବଡ ନିଷ୍ପତି ନେଇଛନ୍ତି ମୋଦି ସରକାର : ଅମିତ୍

Sep 18, 2019 - 06:30
 102
ନୂଆଦିଲ୍ଲୀ , ୧୭/୯(ସକାଳଖବର): ୨୦୧୩ ମସିହାରେ ଭ୍ରଷ୍ଟାଚାର ଚରମ ସୀମାରେ ଥିଲା । ସୀମାରେ ସୁରକ୍ଷା ପାଇଁ କୌଣସି ଢୋସ୍ ବ୍ୟବସ୍ଥା ନଥିଲା , ଆଭ୍ୟନ୍ତରୀଣ ସୁରକ୍ଷା ବିପର୍ଯ୍ୟସ୍ତ ଥିଲା ଏବଂ ସବୁ ମନ୍ତ୍ରୀ ନିଜକୁ ହିଁ ପ୍ରଧାନମନ୍ତ୍ରୀ ଭାବୁଥିଲେ ବୋଲି କେନ୍ଦ୍ରୀୟ ଗୃହମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ବିରୋଧୀଙ୍କୁ କଡା ଜବାବ୍ ଦେଇ କହିଛନ୍ତି । ସେ କହିଛନ୍ତି ଯେ ସେତେବେଳେ ସମସ୍ତ ମନରେ ପ୍ରଶ୍ନ ଉଠୁଥିଲା ଯେ ଦେଶ କେଉଁ ଦିଗରେ ଯିବ । କିନ୍ତୁ ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଲୋକଙ୍କ ମନରେ ବିଶ୍ୱାସ ଜାତ ହେଲା । ପୂର୍ବ ସରକାର ମାନେ ୩୦ ବର୍ଷରେ ୫ ଟି ବଡ ନିଷ୍ପତି ନେଇଥିଲେ କିନ୍ତୁ ମୋଦି ସରକାର ୫ ବର୍ଷରେ ୫୦ଟି ବଡ ଓ ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି । ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ମ୍ୟାନେଜମେଂଟ ଆସୋସିଏସନ୍ (ଏଆଇଏମଏ)ର ୪୬ତମ ସମ୍ମିଳନୀରେ ଯୋଗ ଦେଇ ଅମିତ୍ ଶାହା କହିଥିଲେ ଯେ ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ମୋଦିଙ୍କ ଜନ୍ମଦିନ ପୂରା ଦେଶବାସୀଙ୍କ ବାଇଁ ଶୁଭ ଅଟେ କାରଣ ନରେନ୍ଦ୍ର ମୋଦି ହିଁ ଲୋକଙ୍କ ମନରେ ବିଶ୍ୱାସ ଜଗାଇପାରିଛନ୍ତି ଯେ ଆପଣଙ୍କ ସହଯୋଗରେ ହିଁ ଏକବିଂଶ ଶତାବ୍ଦୀ ଭାରତର ହୋଇପାରିବ । ସେ ଆହୁରି କହିଛନ୍ତି ଯେ ଜଣେ ବ୍ୟକ୍ତି ଏକାକୀ କିଛି ନକରିପାରନ୍ତି କିନ୍ତୁ ଯଦି୧୩୦ କୋଟି ଜନତା ଗୋଟିଏ ଗୋଟିଏ ପାଦ ଆଗକୁ ବଢାନ୍ତି ତେବେ ଦେଶ ୧୩୦ କୋଟି ପାଦ ଆଗକୁ ବଢିପାରିବ । ପ୍ରଧାନମନ୍ତ୍ରୀ ମୋଦି ନ୍ୟୁ ଇଣ୍ଡିଆର ଯେଉଁ କଳ୍ପନା କରିଛନ୍ତି ସେଥିରେ ସବୁ ବର୍ଗର ଉନ୍ନତି ହୋଇପାରିବ । ସବକା ସାଥ୍ ସବକା ବିକାଶ ର ଆଧାରରେ ନ୍ୟୁ ଇଣ୍ଡିଆର ପରିକଳ୍ପନା ସିଦ୍ଧ ହୋଇପାରିବ । ଆମକୁ ଏହା ଭାବିବାକୁ ପଡିବ ଯେ ଆମେ କେଉଁଠି ପହଂଚିଲେ ଏବଂ କେଉଁ ପର୍ଯ୍ୟନ୍ତ ଯିବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହାକେନ୍ଦ୍ର ସରକାରଙ୍କ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ସମ୍ପର୍କରେ ସୂଚନା ଦେଇ କହିଲେ ଯେ ଗତ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମଣ୍ଡଳର ବୈଠକରେ ଜମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଯିବା ନେଇ ନିଷ୍ପତି ନେଇଥିଲେ । ଅଗଷ୍ଟ ୫ରୁ ନେଇ ଆଜି ପର୍ଯ୍ୟନ୍ତ କାଶ୍ମୀରରେ ଗୋଟିଏ ବି ଗୁଳି ଚଳାଇବାକୁ ପଡିନାହିଁ କି ଜଣେ ବି ବ୍ୟକ୍ତିିଙ୍କର ମୃତ୍ୟୁ ଘଟିନାହିଁ । କାଶ୍ମୀରରେ ଶାନ୍ତିର ମାହୋଲ ରହିଛି ଏବଂ ଯେ କେହି ସେଠାକୁ ସହଜରେ ଯାଇପାରିବେ ।