୧୬୩ ଦିନରେ ସର୍ବାଧିକ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୪,୪୦୦ ଉପରେ

Apr 5, 2023 - 06:12
 27
୧୬୩ ଦିନରେ ସର୍ବାଧିକ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୪,୪୦୦ ଉପରେ
ନୂଆଦିଲ୍ଲୀ: ଦୀର୍ଘ ୧୬୩ ଦିନ ବା ୫ ମାସ ୧୩ ପରେ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୪,୪୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୪୩୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୪,୪୩୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୩୩,୭୧୯ରେ ପହଞ୍ଚିଛି। ଗତ ୨୪ ‌ଘଣ୍ଟାରେ ୧୫ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୧୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଛତିଶଗଡ଼, ଦିଲ୍ଲୀ, ଗୁଜରାଟ, ହରିୟାଣା, କର୍ଣ୍ଣାଟକ, ଓଡ଼ିଶା ଏବଂ ପଞ୍ଜାବରୁ ଗୋଟିଏ ଲେଖାଏଁ ମୃତ୍ୟୁ ରିପୋର୍ଟ କରାଯାଇଥିବା ବେଳେ ମହାରାଷ୍ଟ୍ରରୁ ୪ଟି ମୃତ୍ୟୁ ରିପୋର୍ଟ କରାଯାଇଛି। ଏହାଛଡ଼ା, ପିଛିଲା ଭାବେ କେରଳ ମଧ୍ୟ ୪ଟି ମୃତ୍ୟୁ ସାମିଲ କରିଛି। ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୩.୩୮% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୨.୨୭% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।