ହାଇଦ୍ରାବାଦରେ ବନ୍ଧା ପଡିଛି ୧୪ ଜୀବନ
ଅନୁଗୁଳ: ଶିଲ୍ପ ରାଜଧାନୀ ଅନୁଗୁଳ ଜିଲ୍ଲାର ଶ୍ରମିକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଯାଇଥିଲେ ହାଇଦ୍ରାବାଦ। ଆଉ ସେଠାରେ ଅକଥନୀୟ ନିର୍ୟାତନାର ଶିକାର ହେଉଥିବା ଘଟଣା ସାମ୍ନକୁନୁ ଆସିଛି। ସେମାନଙ୍କୁ ଅସମ୍ଭବ କାମ କରିବା ପାଇଁ ବାଧ୍ୟ କରୁଛି ମାଲିକ। ଖାଇବାକୁ ନ ଦେଇ ମାଡ ମାରି ନିର୍ୟାତନା ଦିଆଯାଉଛି। ଆଉ ସେମାନଙ୍କୁ ବାହାରକୁ ଯିବାକୁ ଦିଆଯାଉ ନ ଥିବା ବେଳେ ମୋବାଇଲ ଫୋନ ଜବତକରି ରଖିଛି ଇଟା ଭାଟି ମାଲିକ। ମାଡ ଖାଇ ମେଡିକାଲ ରେ ଚିକିତ୍ସିତ ପାଇଁ ଯାଇଥିବା ଜଣେ ଶ୍ରମିକ କୌଶଳ କ୍ରମେ ଘରକୁ ଫେରି ଆସିଲା ପରେ ଏଭଳି ଚାଞ୍ଚଲ୍ୟକର ଖବର ପଦାକୁ ଆସିଛି। ଆଉ ସେଠାରେ ବନ୍ଧା ପଡିଥିବା ୧୪ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ସୂଚନା ଯେ ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ ଗାଁର ବରଡସାହିର ଗଗନ ବେହେରା ଶୁକ୍ରବାର ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିରେ ଥିବା ଇଟାଭାଟିରେ ଶ୍ରମିକ ଭାବେ କାମ କରିବାକୁ କହି ବନ୍ତଳା ବ୍ରହ୍ମପୁର ଗ୍ରାମର ବେଡା ବେହେରାଙ୍କ ପୁଅ ଗୟା ବେହେରା କଣ୍ଟାବାଞ୍ଜିର ସୁଲିନ ଓରଫ ପିଣ୍ଟୁ ସହିତ ମିଶି ସେମାନଙ୍କୁ ଗତ ୪/୧/୨୦୧୯ ରେ ବଲାଙ୍ଗିର କଣ୍ଟାବାଞ୍ଜିକୁ ନେଇଯାଇଥିଲା । କଣ୍ଟାବାଞ୍ଜି ପହଞ୍ଚିବା ପରେ ଗତ ୫/୧/୨୦୧୯ ରେ ସେମାନଙ୍କୁ ସେଠାରୁ ହାଇଦ୍ରାବାଦ ପଠାଇ ଦେଲେ । ହାଇଦ୍ରାବାଦର ପୋଇତାପାଲି ନାମକ ଏକ ସ୍ଥାନରେ ଏମ ଏସ ଆର ଇଟାଭାଟିରେ ସେମାନଙ୍କୁ କାମ କରାଇଲେ ମାତ୍ର ସେଠି ସେମାନଙ୍କୁ ଏମିତି ଦାଦନ ଖଟାଇଲେ ଯାହା କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇ ପଡିଲା । ସେଠି ସେମାନଙ୍କୁ ଠିକ ରେ ଖାଇବାକୁ ଦିଆଯାଉନଥିଲା । ସେମାନଙ୍କୁ ଏକାଠି କେଉଁ ଆଡେ ଯିବାକୁ ଦିଆଯାଉନଥିଲା । ଏପରିକି ଘରକୁ ଫେରି ଆସିବାକୁ କହିଲେ ଗୋଡହାତ ବାନ୍ଧି ପ୍ରବଳ ମାଡ଼ ଦିଆଯାଉଥିଲା । ସେମାନଙ୍କ ପାଖରେ ଥିବା ଟଙ୍କା,ମୋବାଇଲ ସବୁ ଛଡାଇ ନିଆଗଲା । ଏଭଳି ପରିସ୍ଥିତରେ ଗଗନ ସାଂଘାତିକ ମାଡ ଖାଇ ସେଠାରେ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ କୌଣସି ଏକ ଅଜଣା ବ୍ୟକ୍ତିଙ୍କ ସହାୟତାରେ ଗତ ତା ୧୫/୨/୨୦୧୯ ରିଖରେ ସେଠାରୁ ଖସି ନିଜ ପରିବାରବର୍ଗଙ୍କ ସହ ଘରକୁ ପଳାଇ ଆସିଥିଲେ । କିନ୍ତୁ ସେଥିରେ ଥିବା ବନ୍ତଳା ବରଡସାହିର ସଞ୍ଜୟ ବେହେରା (୩୧),ଉପମା ବେହେରା (୨୯), ରାଜା ବେହେରା (୮),ବନ୍ଧୁ ଆ ବେହେରା (୬୦),ଆର୍ତ୍ତ ବେହେରା (୪୯), ମମି ବେହେରା (୫୦), ଲିଜା ବେହେରା (୧୪),ଜୁନି ବେହେରା (୧୬) ନିନୁ ବେହେରା (୬), ନିରଞ୍ଜନ ବେହେରା (୫୧), ସବିତା ବେହେରା (୪୫), ପ୍ରହ୍ଲାଦ ବେହେରା (୬୦), ପୁଷ୍ପ ବେହେରା (୪୯), ଯମୁନା ବେହେରା (୫୫) ପ୍ରମୁଖ ସେଠାରୁ ଆସି ନପାରି ଉକ୍ତ ଇଟାଭାଟିରେ ବନ୍ଧା ପଡିଛନ୍ତି । ସେଠାରେ ରହୁଥିବା ଶ୍ରମିକ ର୍ୟ୍ୟାତନାର ଶିକାର ହେଉଛନ୍ତି ଏବଂ ଯିବା ଦିନଠାରୁ ଆଜିଯାଏଁ ପରିବାର ଲୋକଙ୍କ ସହ ଯୋଗାଯୋଗ ମଧ୍ୟ କରି ନାହାନ୍ତି । ଏଣୁ ସେମାନଙ୍କ ଉପରେ ବିପଦର ଆଶଙ୍କା କରି ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ଶ୍ରମିକଙ୍କ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।