ହାଇଦ୍ରାବାଦଠାରୁ ୯ ଓ୍ଵିକେଟରେ ହାରିଲା ଦିଲ୍ଲୀ
ନୂଆଦିଲ୍ଲୀ: ଋଷବ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଦିଲ୍ଲୀ ମ୍ୟାଚ୍ ଜିତିପାରିଲାନି। ଆଗରୁ ବୋଲିଂ ବଳରେ ଜିତୁଥିବା ହାଇଦ୍ରାବାଦ ଏଥର କିନ୍ତୁ ବ୍ୟାଟିଂ ବଳରେ ବଳିୟାନ୍ ହୋଇଗଲା। କୋଟ୍ଲାରେ ଦୁଇ ଦିଲ୍ଲୀ ଖେଳାଳି ଋଷବ ପନ୍ତ (୧୨୮ଞ୍ଚ, ୬୩ ବଲ୍) ଏବଂ ଶିଖର ଧାଓ୍ଵନ (୯୨ଞ୍ଚ, ୫୦ ବଲ୍) ବ୍ୟକ୍ତିଗତ ଲଢ଼େଇରେ ଲିପ୍ତ ରହିଥିଲେ ମଧ୍ୟ ଅତିଥି ଦଳ ସନ୍ରାଇଜର୍ସ ବାଜି ମାରିନେଲା। ଆଇପିଏଲ୍ର ଏହି ୪୧ତମ ମ୍ୟାଚ୍ରେ ଦିଲ୍ଲୀ ଦେଇଥିବା ୧୮୮ ରନ୍ର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ୭ ବଲ୍ ପୂର୍ବରୁ ପଛରେ ପକାଇ ୯ ଓ୍ଵିକେଟ୍ରେ ଜିତିବା ମଧ୍ୟ ବଡ଼ ବ୍ୟବଧାନ ରଖିଥିଲା। ହାଇଦ୍ରାବାଦ ୧୧ ମ୍ୟାଚ୍ରୁ ୯ ବିଜୟ ସହିତ ପ୍ରଥମ ଦଳ ଭାବେ ଆନୁଷ୍ଠାନିକ ପ୍ଳେ ଅଫ୍ ଯୋଗ୍ୟତା ଅର୍ଜନ କଲା।
ଆଇପିଏଲ୍-୧୧ରେ ତୃତୀୟ ଶତକ ଦେଖିବାକୁ ମିଳିଥିଲା। ଫିଜୋଜ ସାହା କୋଟ୍ଲା ଗ୍ରାଉଣ୍ଡ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସର ଯୁବ ତାରକା ତଥା ସ୍ଥାନୀୟ ଖେଳାଳି ଋଷବ ପନ୍ତ (୧୨୮ଞ୍ଚ, ୬୩ ବଲ୍, ୧୫ ଚୌକା, ୭ ଛକା) ନିଜର ପ୍ରଥମ ଆଇପିଏଲ୍ ଶତକ ଜମାଇ ସମସ୍ତଙ୍କୁ ଚମତ୍କତ କରି ଦେଇଥିଲେ। ପୂର୍ବରୁ ପଞ୍ଜାବର କ୍ରିସ୍ ଗେଲ୍ (୧୦୪ଞ୍ଚ ବନାମ ହାଇଦ୍ରାବାଦ) ଏବଂ ଚେନ୍ନାଇର ସେନ୍ ଓ୍ଵାଟ୍ସନ୍ (୧୦୬ ବନାମ ରାଜସ୍ଥାନ) ଶତକ ଜମାଇଥିଲେ। ପନ୍ତଙ୍କ ପାଳି ମଧ୍ୟ ଚଳିତ ବର୍ଷର ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ହୋଇଥିଲା। ବିଳମ୍ବିତ ବିସ୍ଫୋରଣ ସହିତ ଦିଲ୍ଲୀ ୧୮୭ ରନ୍ କରି ନେଇଥିଲା। ୯.୩ ଓଭରରେ ୫୦ ଟପିଥିବା ଦିଲ୍ଲୀ ପନ୍ତଙ୍କ ପାଳି ବଳରେ ଅସମ୍ଭବ ଭାବେ ବଡ଼ ସ୍କୋର୍ କରି ନେଇଥିଲା। ଭୁବନେଶ୍ୱର କୁମାର ନିଜ ପ୍ରଥମ ଦୁଇ ଓଭରରେ ୭ ରନ୍ ଦେଇଥିଲେ ମଧ୍ୟ ପରବର୍ତୀ ୨ ଓଭରରେ ୪୫ ରନ୍ ବ୍ୟୟ କରିଥିଲେ। ସନ୍ରାଇଜର୍ସର ଦୁଇ ସଫଳ ବୋଲର ପନ୍ତଙ୍କ ଆଗରେ ଅସହାୟ ପାଲଟିଥିଲେ। ଭୁବିଙ୍କଠୁ ପନ୍ତ ୧୧ ବଲ୍ରୁ ୪୩ ରନ୍ (୪ ଲେଖାଏଁ ଚୌକା ଓ ଛକା) ଏବଂ ରସିଦ୍ ଖାନ୍ଙ୍କ ବିପକ୍ଷରେ ୧୩ ବଲ୍ରୁ ୨୭ ରନ୍ (୧ ଛକା, ୪ ଚୌକା) ଆଦାୟ କରିଥିଲେ। ପ୍ରଥମରୁ ମନ୍ଥର ଖେଳିଥିବା ପନ୍ତ ୩୬ ବଲ୍ରୁ ଅର୍ଧଶତକ ପୂର୍ଣ୍ଣ କରିଥିଲେ ମଧ୍ୟ ପରବର୍ତୀ ୫୦ ରନ୍ ପାଇଁ ମାତ୍ର ୨୦ ବଲ୍ର ସମ୍ମୁଖୀନ ହୋଇଥିଲେ। ଶେଷ ଓଭର ପ୍ରଥମ ବଲରେ ହର୍ଷଲ୍ ପଟେଲ୍ (୨୪, ୧୭ ବଲ୍) ଆଉଟ୍ ହୋଇଯିବା ପରେ ଭୁବିଙ୍କ ପରବର୍ତୀ ୫ ବଲ୍କୁ ପନ୍ତ (୪,୪,୬,୬,୬) ସୀମା ରେଖା ସେପାଖକୁ ପଠାଇ ଦେଇଥିଲେ। ପ୍ରଥମ ୧୦ ଓଭରରେ ୫୨ ରନ୍ କରିଥିବା ଦିଲ୍ଲୀ କିନ୍ତୁ ଶେଷ ୧୦ ଓଭରରେ ୧୩୫ ରନ୍ ଯୋଡ଼ିଥିଲା। ଶେଷକୁ ଋଷବ ପନ୍ତ୍ଙ୍କ ୧୨୮ଞ୍ଚ ରନ୍ ମଧ୍ୟ ପରାଜୟ ପାର୍ଶ୍ୱରେ ରହିବାରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍ ହୋଇଥିଲା। ପନ୍ତଙ୍କୁ କେବଳ କମଳାଟୋପି ଫେରି ପାଇବାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୧୮୮ ରନ୍ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ ପ୍ରଥମରୁ ଆଲେକ୍ସ ହେଲ୍ସ (୧୪)ଙ୍କୁ ହରାଇଥିଲା। କିନ୍ତୁ ଅଧିନାୟକ କେନ୍ ଓ୍ଵିଲିୟମ୍ସନ୍ ଏବଂ ଅନ୍ୟତମ ଦିଲ୍ଲୀ ତାରକା ଶିଖର ଧାଓ୍ଵନ ଦ୍ୱିତୀୟ ଓ୍ଵିକେଟ୍ ଭାଗୀଦାରିରେ ୧୮ ଓଭରରେ ଅବିଭାଜିତ ୧୭୬ ରନ୍ କରି କଷ୍ଟକର କାମକୁ ସହଜରେ ଶେଷ କରିଥିଲେ। ଧାଓ୍ଵନ ୫୦ ବଲ୍ରୁ ୯ ଚୌକା, ୪ ଛକା ବଳରେ ୯୨ଞ୍ଚ ରନ୍ ଏବଂ ଓ୍ଵିଲିୟମ୍ସନ୍ ୫୩ ବଲ୍ରୁ ୮ ଚୌକା, ୨ ଛକା ସହାୟତାରେ ୮୩ଞ୍ଚ ରନ୍ କରିଥିଲେ। ଧାଓ୍ଵନ୍ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।