ସୁବର୍ଣ୍ଣରେଖା ପ୍ରକଳ୍ପରୁ ଚାଷ ଜମିକୁ ପାଣି ନାହିଁ
ବାରିପଦା, ୫/୮(ସକାଳଖବର): ୨୦୧୩ ଜୁଲାଇ ୮ ପୂର୍ବାହ୍ନ ୮ରେ ସୁବର୍ଣ୍ଣରେଖା ନଦୀର ଗାଲୁଡ଼ିହି ବ୍ୟାରେଜର ଡ଼ାହାଣ ପାଶ୍ୱର୍ ମୁଖ୍ୟ କେନାଲରେ ପ୍ରଥମ ପାଣି ଛଡ଼ାଯାଇଥିଲା ଏବଂ ଉକ୍ତ ପାଣି ଦୀର୍ଘ ୫୬.୬ କି.ମି. ରାସ୍ତା ଅତିକ୍ରମ କରି ଉଚ୍ଚଗାଁ ନିକଟରେ ଓଡ଼ିଶା ରାଜ୍ୟକୁ ଜୁଲାଇ ୧୦ରେ ସ୍ପର୍ଶ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ବହୁ ପ୍ରତିକ୍ଷିତ ସୁବର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପକୁ ୨୦୧୩ ଜୁଲାଇ ୧୭ରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ଗସ୍ତରେ ଆସି ପୂର୍ବାହ୍ନ ୧୦ଟାରେ ବଡ଼ଚାଟରା ନିକଟ ମୁଖ୍ୟ କେନାଲର ଆରଡ଼ି ୧୩୯୮୫ରେ ସୁଇଚ ଦବାଇ ରାଜ୍ୟବାସୀଙ୍କ ଉଦେ୍ଧଶ୍ୟରେ ଶୁଭଉଦଘାଟନ କରାଇଥିଲେ । ଏହା ମଧ୍ୟରେ ୬ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଜମି ଜଳସେଚିତ ସମ୍ଭବପର ହୋଇପାରି ନାହିଁ । ଅଧିକନ୍ତୁ, କେନାଲର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା କାରଣରୁ ଅଧିକାଂଶ ସ୍ଥାନରେ ନଷ୍ଟ ହୋଇସାରିଛି । ଉକ୍ତ ସୁବର୍ଣ୍ଣରେଖା ବୃହତ ଆନ୍ତଃରାଜ୍ୟ ଜଳସେଚନ ପ୍ରକଳ୍ପ ନିମନ୍ତେ ବିସ୍ଥାପିତ ପରିବାର ସେମାନଙ୍କ ଜମି ହରାଇଥିବା ବେଳେ ସେମାନଙ୍କୁ ଉପଯୁକ୍ତ ବିସ୍ଥାପନ ରାଶି ମିଳିପାରିନଥିବାର ପରିଲକ୍ଷିତ ହୋଇଛି । ପୁଣି ବର୍ଷ ବର୍ଷ ଧରି କେନାଲ ନିର୍ମାଣ କାର୍ଯ୍ୟ ଚାଲିଛି ଯେ, ଶେଷ ହେବାର ନାମ ଧରୁ ନାହିଁ । ସୁର୍ଣ୍ଣରେଖା ବୃହତ ଜଳସେଚନ ପ୍ରକଳ୍ପ କେତେକଙ୍କ ନିମନ୍ତେ ଦୁଧିଆଳୀ ଗାଈ ସାବ୍ୟସ୍ତ ହୋଇଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଫଳରେ ଉକ୍ତ ପ୍ରକଳ୍ପର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସୁବର୍ଣ୍ଣରେଖା ଆନ୍ତଃରାଜ୍ୟ ନଦୀ ଝାଡ଼ଖଣ୍ଡ ରାଜ୍ୟ ଛୋଟନାଗପୁର ମାଳଭୂମିରୁ ବାହାରି ଝାଡ଼ଖଣ୍ଡ ରାଜ୍ୟରେ ୨୧୦ କି.ମି., ଓଡ଼ିଶାରେ ୩୦ କିମି. ଓ ପଶ୍ଚିମବଙ୍ଗ ରାଜ୍ୟରେ ୫୦ କି.ମି. ଅତିକ୍ରମ କରି ଓଡ଼ିଶା ରାଜ୍ୟର ବାଲେଶ୍ୱର ଜିଲ୍ଲା ସୀମାନ୍ତ ତାଳସାରୀଠାରେ ବଙ୍ଗୋପସାଗରରେ ପଡ଼ିଛି । ସେହିପରି ଝାଡ଼ଖଣ୍ଡ ରାଜ୍ୟରେ ନଦୀର ଜଳ ସଂରକ୍ଷଣ ଅଞ୍ଚଳ ୧୩ ହଜାର ୫୯୦ ବର୍ଗ କି.ମି ରହିଥିବା ବେଳେ ଓଡ଼ିଶା ରାଜ୍ୟରେ ୩ ହଜାର ୨୦୧ ବର୍ଗ କି.ମି ଓ ପଶ୍ଚିମବଙ୍ଗ ରାଜ୍ୟରେ ୨ ହଜାର ୧୬୦ ବର୍ଗ କି.ମି. ରହିଛି । ପ୍ରତ୍ୟେକ ବର୍ଷ ସୁବର୍ଣ୍ଣରେଖା ନଦୀରେ ଆସୁଥିବା ପ୍ରଳୟଙ୍କରୀ ବନ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟରେ ବ୍ୟାପକ ଫସଲ ଓ ଧନଜୀବନ ହାନୀର କାରଣ ପାଲଟି ଯାଇଥାଏ । ଉକ୍ତ ଚିରସ୍ରୋତା ନଦୀର ବହୁମୂଲ୍ୟ ଜଳରାଶିର ସତ୍ ବିନିଯୋଗର ମହତ୍ ପରିକଳ୍ପନା କରାଯାଇ ୧୯୭୬ରେ ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରାଯାଇଥିଲା । ପୁଣି ଏହା ଏକ ଆନ୍ତଃରାଜ୍ୟ ନଦୀ ହୋଇଥିବା କାରଣରୁ ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନଦୀ ଜଳ ଆବଂଟନର ଏକ ପରିମାଣ ଧାର୍ଯ୍ୟ କରାଯାଇଥିଲା ।