ଭଙ୍ଗା କୁଡ଼ିଆରେ ଭୋକ ଉପାସରେ କଟୁଛି ଦିନ
ହରିଚନ୍ଦନପୁର,୧୬/୯ (ସକାଳଖବର): ଅସହାୟ ଦିବ୍ୟାଙ୍ଗ ପରିବାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରେସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଅନେକ ଯୋଜନା ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ବେଳେ ଆଜିବି ଏମିତି କିଛି ପରିବାର ରହିଛି ଯେଉଁଠି ଦିବ୍ୟାଙ୍ଗ ହୋଇ ମଧ୍ୟ ସରକାରୀ ସାହାଯ୍ୟରୁ ବଂଚିତ ହୋଇ ଭଙ୍ଗା କୁଡିଆ ମଧ୍ୟରେ ଅସହାୟ ଅବସ୍ଥାରେ ଜୀବନ ବିତୁଛି ।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ପିଟାପିଟି ଗ୍ରାମରେ । ଗ୍ରାମର ଜୟକୃଷ୍ଣ ନାହାକଙ୍କ ଝିଅ ସାବିତ୍ରୀ ନାହାକ ଛୋଟ ବୟସରେ ସାଙ୍ଗ ସାଥିଙ୍କ ସହିତ ଖେଳୁଥିଲେ, ପାଠ ପଠିବାକୁ ବିଦ୍ୟାଳୟ ଆସୁଥିଲେ । ବାପା ମାଙ୍କ ଗେହ୍ଲି ଝିଅ ଥିଲେ ସାବିତ୍ରୀ । ହସ ଖୁସିରେ ଦିନ କଟୁଥିଲା । ସାବିତ୍ରୀଙ୍କୁ ୧୪ ବର୍ଷ ବୟସରେ ମାଡିଆସିଥିଲା ଅଜଣା ରୋଗ । ଛଡାଇନେଇଥିଲା ପରିବାର ଓଠରୁ ହସ, ଭାଙ୍ଗିଦେଇଥିଲା ପରିବାରର ମେରୁଦଣ୍ଡ । ତଥାପି ଅଭାବ ଅନାଟନ ମଧ୍ୟରେ ଚିକିସôା ନିମନ୍ତେ ଡାକ୍ତରଖାନା ନେଇଥିଲେ ପରିବାର ଲୋକେ । ଶେଷରେ ଅର୍ଥ ଅଭାବରୁ ସଠିକ୍ ଚିକିସôା କରିପାରିନଥିଲେ । ଫଳରେ ସାବିତ୍ରୀଙ୍କ ଗୋଡ ବଙ୍କା ହୋଇ ଅଚଳ ହୋଇଗଲା । ବୟସ ବଢି ଚାଲିଲା ବାପା ମା ଝିଅର ଏପରି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗିପଡିଥାନ୍ତି । ଏପରି ସ୍ଥଳେ ହରିଚନ୍ଦନପୁର ଅଂଚଳରୁ ଦିଲ୍ଲୀପ ଶର୍ମା ନାମକ ଜଣେ ଯୁବକ ସାବିତ୍ରୀ ନାହାକଙ୍କୁ ବିବାହ କରିଥିଲେ । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ ପଂଚାୟତ ଦୌଡି ଦୌଡି ନିରାଶ ହୋଇ ଶେଷରେ ୮ବର୍ଷ ହେଲା ଏହି ପରିବାର ଝାଟି ମାଟି କୁଡିଆ ଘରେ ଅତି ଦୟନୀୟ ଅବସ୍ଥାରେ ଖରା ବର୍ଷା କାକର ଖାଇ ସନ୍ତସନ୍ତିଆ ଗୃହରେ ପଡିରହି ସରକାରୀ ସାହାଯ୍ୟକୁ ଅପେକ୍ଷା କରି ରହିଛନ୍ତି । ସାବିତ୍ରୀଙ୍କୁ କେବଳ ଦିବ୍ୟାଙ୍ଗ ଭତା ମିଳୁଥିବା ବେଳେ ସରକାରଙ୍କ ରେସନ କାର୍ଡ, ଗୃହ ଭଳି ଯୋଜନାରୁ ବଂଚିତ ରହିଛନ୍ତି ଏହି ପରିବାର । ମୁଲ କଲେ ଚୁଲି ଜଳେ । ଘରକୁ ପାଣି ଆଣିବା ଲିପା ପୋଛା ରୋଷେଇ, ପୁଅର ଯତ୍ନନେବା ଆଦି କାର୍ଯ୍ୟ ଶେଷ କରି କାମକୁ ଯାଇଥାଏ ଯେବେ ମୋର ଦେହ ଖରାପ ହୋଇଯାଏ । ଆମେ ଖାଇବାରେ ବହୁତ ଅସୁବିଧା ହୁଏ ପଡୋଶୀଙ୍କ ଠାରୁ ମାଗିଯାଚି ଚଳିଥାଉ ବୋଲି ସ୍ୱାମୀ ଦିଲ୍ଲୀପ ଶର୍ମା କହନ୍ତି ।
ପରିବାରର ଏ ସମସ୍ୟାକୁ ନେଇ ପିଟାପିଟି ଗ୍ରାମ ପଂଚାୟତର ସରପଂଚ କଳିଙ୍ଗ କିସାନଙ୍କ ଦୃଷ୍ଟି ଅକର୍ଷଣ କରିବାରେ ପଂଚାୟତ ଓ ବ୍ଲକ ସ୍ତରରେ କଥାହୋଇ କିପରି ସେହି ପରିବାରକୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇପାରିବ ସେ ଉପରେ ଦୃଷ୍ଟି ଦେବୁ ବୋଲି ସେ କହିଥିଲେ । ଅନ୍ୟପଟେ ଅଭାବ ଅନାଟନ ଓ ବିଭିନ୍ନ ସମୟରେ ସାବିତ୍ରୀ ନାହାକଙ୍କ ସ୍ୱାସ୍ଥ୍ୟ ବସ୍ଥା ବିଗୁଡୁ ଥିବାରୁ ୫ବର୍ଷର ପୁଅ ରାଜ ଶର୍ମାଙ୍କ ଭବିଷ୍ୟତକୁ ନେଇ ପିତାମାତା ଚିନ୍ତିତ ରହୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ପରିବାରକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।