ସ୍କୁଲ ଅଧ୍ୟକ୍ଷା ନିଖୋଜ ମିଷ୍ଟ୍ରି : ମାଟି ତଳୁ ମିଳିଲା ବଡ ସୁରାକ, ଠାବ ହେଲା ପୋଡା ଅଂଶ

Oct 19, 2021 - 07:38
 78
ସ୍କୁଲ ଅଧ୍ୟକ୍ଷା ନିଖୋଜ ମିଷ୍ଟ୍ରି : ମାଟି ତଳୁ ମିଳିଲା ବଡ ସୁରାକ, ଠାବ ହେଲା ପୋଡା ଅଂଶ
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ମିଳିଲା ନୂଆ ତଥ୍ୟ । ଖେଳ ପଡିଆର ଉତ୍ତର-ପୂର୍ବ ଦିଗକୁ ଖୋଳା ଯାଉଥିବା ବେଳେ ସେହି ସ୍ଥାନରୁ ମିଳିଛି ବଡ ସୁରାକ୍ । ମାଟି ତଳୁ କିଛି ପୋଡା ଅଂଶ ଠାବ ହୋଇଛି । ପୋଡା ଅଂଶ ସଂଗ୍ରହ କରି ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ମାଜିଷ୍ଟ୍ରେଟ୍ ଙ୍କ ସହ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ଘଟଣାସ୍ଥଳରେ ଉଭୟ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ପୋଲିସ ଉପସ୍ଥିତ ରହିଛନ୍ତି । ଷ୍ଟାଡିୟମରେ ମାଟି ଖୋଳି ଯାଞ୍ଚ କରିବା ପୂର୍ବରୁ ପୋଲିସ ଦୁଇ ଜଣଙ୍କ ଅଟକ ରଖିଥିଲା । ନିର୍ମାଣଧୀନ ମହାଲିଙ୍ଗ ସରକାରୀ ହାଇସ୍କୁଲ ଖେଳପଡିଆର ଜଗୁଆଳି ଗୁପ୍ତେ ତାଣ୍ଡି ଏବଂ ସେଠାରେ ନିୟୋଜିତ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ମଧ୍ୟ ପୋଲିସ ଦ୍ବାରା ଅଟକ। ଏମାନଙ୍କ ସୂଚନାକୁ ଆଧାର କରି ପୋଲିସ ଷ୍ଟାଡିୟମ୍ କୁ ସିଲ୍ କରି ଖୋଳିବା ଆରମ୍ଭ କରିଥିଲା । ସେଠାରୁ କିଛି ପୋଡା ଅଂଶ ମିଳିବା ପରେ ଘଟଣା ଆହୁରି ରହସ୍ୟ ଆଡକୁ ଯିବାରେ ଲାଗିଛି । ସୂଚନାଯୋଗ୍ୟ ଯେ, କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ଇତିମଧ୍ୟରେ ୧୧ ଦିନ ବିତିସାରିଲାଣି । ହେଲେ ଏବେ ଯାଏଁ ସ୍କୁଲ ଅଧ୍ୟକ୍ଷାଙ୍କ କୌଣସି ପତ୍ତା ମିଳୁନାହିଁ । ପୋଲିସ ସନ୍ଦେହରେ ଅନେକ ସ୍ଥାନରେ ରେଡ଼ ଜାରି ରଖିଛି । ଏହି ପ୍ରରିପେକ୍ଷୀରେ ମଙ୍ଗଳବାର ନିର୍ମାଣଧୀନ ମହାଲିଙ୍ଗ ଖେଳପଡିଆରେ ଏକ ପ୍ଲାଟୁନ‌୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ନିଖୋଜ ମମିତା ମେହେରଙ୍କ ସହ କୌଣସି ଅଘଟଣ ପରେ ଏହି ଖେଳ ପଡିଆ ମାଟି ତଳେ ପୋତି ଦେଇଥିବା ଅନୁମାନ କରାଯାଉଛି ।