ସନାତନ ଧର୍ମ ସାରା ବିଶ୍ୱକୁ ଗୋଟିଏ ସୂତ୍ରରେ ବାନେ୍ଧ ; ଶଙ୍କରାଚାର୍ଯ୍ୟ

Mar 29, 2019 - 05:48
 168
ଅନୁଗୋଳ,୨୮/୩(ସକାଳଖବର):ସତାନତନ ଧର୍ମ ସାରା ପୃଥିବୀକୁ ଗୋଟିଏ ସୂତ୍ରରେ ବାନ୍ଧିଥାଏ ବୋଲି ପୁରୀ ଗୋବର୍ଦ୍ଧନ ପୀଠରେ ପୀଠଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ମତବ୍ୟକ୍ତ କରିଛନ୍ତି । ବନ୍ତଳା ହାଇସ୍କୁଲ ପଡ଼ିଆରେ ଚାଲିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉଷ୍ୱର ଅନୁଷ୍ଠିତ ଉଦ୍ୟାପନ କାର୍ଯ୍ୟକ୍ରମରେ ଯୋଗଦେଇ ଶଙ୍କରାଚାର୍ଯ୍ୟ କହିଲେ, ନାରୀଶକ୍ତି ସବୁଠାରୁ ଉପରେ । ନାରୀମାନେ ନିଜର ଶକ୍ତିକୁ ପ୍ରଥମେ ଚିହ୍ନିବା ଆବଶ୍ୟକ । ଘରେ ରହି ମଧ୍ୟ ମହିଳାମାନେ କ୍ରାନ୍ତିକାରୀ ହୋଇପାରିବେ । ଓଡ଼ିଶାର ଲୋକମାନେ ରାଷ୍ଟ୍ରଭାଷା ହିନ୍ଦୀକୁ ପ୍ରାଧାନ୍ୟ ଦେଇ ଶିଖିଲେ ସାରା ଦେଶରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିବେ ବୋଲି ସେ କହିଥିଲେ । ଏଥିରେ ସନ୍ଥ ସ୍ୱାମୀ ଅସିମାନନ୍ଦ ସରସ୍ୱତୀ ଭକ୍ତମାନଙ୍କୁ ଉପଦେଶ ଦେଇ କହିଥିଲେ ଯେ ସମସ୍ତଙ୍କ ମଧ୍ୟରେ ଗୁରୁ ହିଁ ଶ୍ରେଷ୍ଠ । ପ୍ରଥମେ ଗୁରୁଙ୍କ ନିକଟରେ ଶରଣାପନ୍ନ ହେଲେ ଜୀବନ ସାର୍ଥକ ହେବା ସହିତ ନିଜର ଦୁଃଖ, ଦୁର୍ଦ୍ଧଶା ଓ ଶୋକ ଉପରେ ବିଜୟଲାଭ କରିହେବ ବୋଲି ସେ କହିଥିଲେ । ସେହିଭଳି ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ଶ୍ରଦ୍ଧାଳୁମାନଙ୍କୁ ପୌରାଣିକ ପୃଷ୍ଠଭୂମିରେ ଅନେକ ଉଦାହରଣ ଦେଇ ବହୁ ଉପାଦେୟ କଥା ଶୁଣାଇଥିଲେ । ଜୀବନକୁ ସୁନ୍ଦର କରି ଗଢ଼ି ତୋଳିବା ଲାଗି ଗୀତା ଭାଗବତ ଭଳି ମହାନ ଧର୍ମଗ୍ରନ୍ଥକୁ ପ୍ରତିଦିନ ପାଠ କରିବାକୁ ସେ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଚ୍ଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ବୈରାଗୀ ନନ୍ଦଜୀ, ବିଷ୍ଣୁ ମହାରାଜ, ମଙ୍ଗଳା ଚରଣ କଳ୍ପନାନନ୍ଦ ସରସ୍ୱତୀ ଯୋଗଦେଇଥିଲେ । ମାତୃ ପ୍ରାସଦ ମିଶ୍ର ଉକ୍ତ ଧର୍ମ ସଭା ପରିଚାଳନା କରିଥିଲେ ।