ଓଡିଶାରେ ଲାଗୁ ହେବ ମୋ କଲେଜ ଯୋଜନା : ଉଚ୍ଚଶିକ୍ଷା ମନ୍ତ୍ରୀ

Jul 31, 2019 - 08:22
 200
ଭୁବନେଶ୍ୱର, ୩୦/୭(ସକାଳଖବର): ଓଡିଶାରେ ‘ମୋ ସ୍କୁଲ’ ଭଳି ‘ମୋ କଲେଜ’ ଯୋଜନା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି । ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ ଅଧ୍ୟାପକ ମାନେ ସପ୍ତାହକୁ ୪୦ ଘଂଟା ଶିକ୍ଷାଦାନ କରିବେ । ଏଡେଡ୍ କଲେଜ ମାନଙ୍କର ଅଧ୍ୟକ୍ଷ ମାନଙ୍କ ସହ ଆସନ୍ତା୧ ତାରିଖରେ ବୈଠକ କରାଯିବ । ଉଚ୍ଚଶିକ୍ଷା ସଚିବ କିଛି କଲେଜ ଗସ୍ତରେ ଯାଇଛନ୍ତି । ଆଇନ୍ ମହାବିଦ୍ୟାଳୟ ସଂଖ୍ୟା ବୃଦ୍ଧି ଉପରେ ଧ୍ୟାନ ଦେବୁ । ସମସ୍ତ ମହାବିଦ୍ୟାଳୟ ଗୁଡିକୁ ନାକ୍ ମାନ୍ୟତା ଦେବାକୁ ଉଦ୍ୟମ କରିବୁ ବୋଲି ମନ୍ତ୍ରୀ କହିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମଙ୍ଗଳବାର ବିଧାନସଭାରେ “ସରକାରୀ ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ଯୋଗୁଁ ଉଚ୍ଚଶିକ୍ଷା ବିଭାଗରେ ସରକାରୀ ମହାବିଦ୍ୟାଳୟମାନଙ୍କ ପ୍ରତି ଛାତ୍ରଛାତ୍ରୀମାନଙ୍କ ଆଗ୍ରହ ନାହିଁ ” ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ । ମୁଲତବୀ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ବିରୋଧୀ ଦଳ ବିଜେପିର ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ ଯେ ଓଡିଶାରେ ଉଚ୍ଚଶିକ୍ଷା ଦୁରାବସ୍ଥା ଦେଇ ଗତି କରୁଛି । ଉଚ୍ଚଶିକ୍ଷା ପ୍ରତି ଅବହେଳା କରାଯାଉଛି । ସେଥିପାଇଁ ଆଗାମୀ ପିଢୀ ମାନେ ଭବିଷ୍ୟତରେ ଗବେଷଣା କରିପାରିବେ ନାହିଁ । ପୂର୍ବରୁ ସର୍ବଶ୍ରେଷ୍ଠ ୧୦ଟି ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଉକ୍ରଳ ବିଶ୍ୱ ବିଦ୍ୟାଳୟ ରହିଥିଲା । କିନ୍ତୁ ବର୍ତମାନ ଶ୍ରେଷ୍ଠ ୧୦୦ ବିଶ୍ୱ ବିଦ୍ୟାଳୟ ମଧ୍ୟ ଓଡିଶାର ଗୋଟିଏ ହେଲେ ବିଶ୍ୱ ବିଦ୍ୟାଳୟ ନାହିଁ । ଭିତିଭୂମିର ଅଭାବ , ଅଧ୍ୟାପକ ପ୍ରାଧ୍ୟାପକ ଓ କର୍ମଚାରୀଙ୍କ ଅଭାବ ଏବଂ ଶିକ୍ଷା ନୀତିରେ ତ୍ରୁଟି ଯୋଗୁଁ ରାଜ୍ୟର ଛାତ୍ରଛାତ୍ରୀମାନେ ସରକାରୀ ଶିକ୍ଷାନୁଷ୍ଠାନ ଛାଡି ବେସରକାରୀ ଶିକ୍ଷାନୁଷ୍ଠାନ ମୁହାଁ ହେଉଛନ୍ତି ବୋଲି ବିରୋଧୀ ଦଳ ବିଜେପିର ଉପନେତା ବିଷ୍ଣୁ ଚରଣ ସେଠୀ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ।