ଶ୍ରୀମନ୍ଦିର ପୂଜା ବ୍ୟବସ୍ଥା ବିଶ୍ୱରେ ଅନନ୍ୟ-ଜଗତ ଗୁରୁ ଶଙ୍କରାଚାର୍ଯ୍ୟ
ପୁରୀ, ୧୭/୨(ସକାଳଖବର): ଶ୍ରୀମନ୍ଦିରରେ ସଂସ୍କାର, ଶୃଙ୍ଖଳା, ସୁରକ୍ଷା ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ମହାରାଜ, ଶ୍ରୀମନ୍ଦିର ପରିଚାଳନା କମଟି ସଦସ୍ୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜ୍ୟ ଦେବୋତର ବିଭାଗ କମିଶନର, ଆଇନ ବିଭାଗ ଉପଶାସନ ସଚିବ, ଜିଲ୍ଲାପାଳ, ବରିଷ୍ଠ ସେବାୟତ ଓ ଗବେଷକମାନେ ଯୋଗଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ବିଶ୍ୱରେ ଅନନ୍ୟ । ଆଧ୍ୟାତ୍ମିକ ଜାଗରଣର ଏହା ପ୍ରମୁଖ ପୀଠ । ଏହି ପୀଠରେ ଆଧ୍ୟାତ୍ମିକ ପରିବେଶକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ବିଶ୍ୱ ବ୍ୟାପି ସନାତନ ଧର୍ମର ଭକ୍ତମାନେ ଏକ ହେବା ପାଇଁ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ ଆହ୍ୱାନ ଦେଇଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ସହ ଗୋବର୍ଦ୍ଧନ ପୀଠର ନିବିଡ଼ ସମ୍ପର୍କ ରହିଛି । ଧର୍ମ ସଂସ୍ଥାପନ ପାଇଁ ଧର୍ମଗୁରୁ ଓ ବିଦ୍ୱାନ ବ୍ରାହ୍ମଣଙ୍କ ସହ ପରାମର୍ଶ କରିବା ଉଚିତ । ଶ୍ରୀକ୍ଷେତ୍ର ହେଉଛି ହରିହରଙ୍କ ପୀଠ । ଶ୍ରୀମନ୍ଦିରର ସୁରକ୍ଷା, ସେବା, ଧାର୍ମିକ ସ୍ଥିତି, ସଂସ୍କୃତି ଓ ପ୍ରଶାସନିକ ସେବାରେ ସୁଧାର ଆଣିବା ଉଦେ୍ଧଶ୍ୟରେ ଏହି ବୈଠକ ଡକାଯାଇଥିଲା । ଶ୍ରୀମନ୍ଦିର ସଂସ୍କାର ପାଇଁ ଏହାର ଶିକ୍ଷା, ସମୃଦ୍ଧି, ସଂସ୍କୃତି, ଧର୍ମ ଏବଂ ମୋକ୍ଷର କେନ୍ଦ୍ରକୁ ରକ୍ଷା କରିବା ଏହି ସଂଗୋଷ୍ଠୀର ମୂଳ ଉଦେ୍ଧଶ୍ୟ । ମନ୍ତ୍ର, ତନ୍ତ୍ର ଓ ଯନ୍ତ୍ର ବିଧିରେ ଦାରୁ ବିଗ୍ରହ ପ୍ରତିଷ୍ଠିତ । ଦାରୁ ବିଗ୍ରହରେ ପ୍ରଭୁଙ୍କ ତେଜ ସନ୍ନିହିତ । ଏ ସଂପର୍କରେ ଶଙ୍କରାଚାର୍ଯ୍ୟ ୧୪ଟି ପ୍ରସ୍ତାବ ଦେଇଛନ୍ତି । ଋକବେଦ, ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ପଂଚ ରାତ୍ର ଈଶ୍ୱର ସଂହିତାକୁ ଆଧାର କରି ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା, ପୂଜା, ମହୋତ୍ସବ ଓ ନବକଳେବରର ବର୍ଣ୍ଣନା ରହିଛି । ଶ୍ରୀଜଗନ୍ନାଥଙ୍କ ସଂହିତାରେ ଶ୍ରୀମନ୍ଦିରର ସେବା, ସମର୍ଚ୍ଚା, ପ୍ରକଳ୍ପ ପଦ୍ଧତି ପଣ୍ଡିତମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଶାସ୍ତ୍ର ସମ୍ମତ ସୁସ୍ଥ ପରମ୍ପରା ସୃଷ୍ଟି କରିବାପାଇଁ ଉଦ୍ୟମ କରାଯାଉ । ସେବାୟତ କୂଳ, ଷୋଳଶାସନ ବ୍ରାହ୍ମଣ କୂଳର ବାଳକମାନଙ୍କ ନିମନ୍ତେ ନିଃଶୁକ୍ଳ ବିଦ୍ୟାପୀଠ ସ୍ଥାପନ କରାଯାଉ । ସେମାନଙ୍କୁ ସୁସଂସ୍କୃତ ଓ ପ୍ରଶିକ୍ଷିତ କରିବା ପାଇଁ ବ୍ୟବସ୍ଥା କରାଯାଉ । ଶ୍ରୀମନ୍ଦିରରେ ସବୁ ପୂଜା ସେବା ଠିକ୍ ସମୟରେ ହେଉନାହିଁ । ଭୋଜନ ସାମଗ୍ରୀ ବିଶୁଦ୍ଧ ଓ ସ୍ୱାଦିଷ୍ଟ କରାଯାଉ । ଭକ୍ତମାନଙ୍କୁ ଠିକ୍ ସମୟରେ ଦୁର୍ଲଭ ଦର୍ଶନ ମିଳୁ । ଶ୍ରୀମନ୍ଦିରରେ ଥିବା ଅଧିକୃତ ବ୍ୟକ୍ତିମାନେ ଶ୍ରଦ୍ଧାଳୁଙ୍କ ପ୍ରତି ଭଦ୍ର, ସ୍ନେହ ଓ ସଦଭାବ ପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରନ୍ତୁ । ଆର୍ଥିକ ବିପନ୍ନତାରେ ବଶୀଭୂତ ସେବାୟତଙ୍କୁ ସୁବିଧା ଯୋଗାଇ ଦିଆଯାଉ । ଭକ୍ତମାନଙ୍କୁ ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଦଣ୍ଡ ବିଧାନର ବ୍ୟବସ୍ଥା କରାଯାଉ । ଶ୍ରୀମନ୍ଦିର ଓ ଏହାର ପରିସରକୁ ଶୁଦ୍ଧ, ସୁନ୍ଦର କରାଯାଉ । ଶ୍ରୀମନ୍ଦିର ପରିଚାଳନା ସମିତି ଦ୍ୱାରା ଏକ ସତସଙ୍ଗ ସ୍ଥଳ କରାଯାଇ ବ୍ରାହ୍ମଣମାନଙ୍କ ଦ୍ୱାରା ସ୍କନ୍ଦ ପୁରାଣର ଆଲୋଚନା ହେଉ । ଶ୍ରୀମନ୍ଦିରରେ ଆୟ ବ୍ୟୟର ସ୍ୱଚ୍ଛତା, ସମସ୍ତ ଚଳଅଚଳ ସମ୍ପତିର ସୁରକ୍ଷା, ଅନ୍ନ, ଜଳ, ବସ୍ତ୍ର, ଭବନ, ଶିକ୍ଷା ଓ ଚିକିତ୍ସା ଆଦି ସେବା ପ୍ରକଳ୍ପ ଯୋଗାଇ ଦିଆଯାଉ ।