ଉଠାଜଳସେଚନ ଓ ବିଦ୍ୟୁତ ବିଭାଗ ଖେଳ- ଚାଷୀଙ୍କୁ ହେଉଛି କାଳ
ଅନୁଗୋଳ,୧୬/୨(ସକାଳଖବର): ଚାଷୀ ଓ ଚାଷ କାର୍ଯ୍ୟକୁ ଅଗ୍ରାଧିକାର ଦେଉଛନ୍ତି ସରକାର । ଆଉ କୃଷି ସଂମ୍ପଦ ବିକାଶ ଘଟିଲେ ସାମାଜିକ, ଅର୍ଥନୈତିକ ବିକାଶ ଓ ଅଭିବୃଦ୍ଧି ଘଟିବ । ତେଣୁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୃଷି ଓ କୃଷକ ଅଭିବୃଦ୍ଧି ପାଇଁ କୋଟି କୋଟି ଟଙ୍କାର ପ୍ୟାକେଜ ଘୋଷଣା କରୁଛନ୍ତି । ଆଉ ଚାଷୀ କ୍ଷେତକୁ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା ରହିଛି ଉଠାଜଳସେଚନ ପଏଣ୍ଟ । ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଅପାରଗତା ଯୋଗୁଁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁନି ଉଠାଜଳସେଚନ ପଏଣ୍ଟ । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ବ୍ଲକର ଅନ୍ତୁଳିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଦଳୀବେରେଣୀ ଗାଁରେ । ପ୍ରକାଶ ଯେ ଗାଁ ମୁଣ୍ଡରେ ବୋହିଯାଉଛି ଝରଣା । ଆଉ ଝରଣା ମଧ୍ୟରେ ତିଆରି ହୋଇଛି ଚେକ ଡ଼୍ୟାମ । ଏହି ଡ଼୍ୟାମରେ ପାଣି ବ୍ୟବହାର କଲେ ଗାଁର ବିଭିନ୍ନ କୃଷି ଫସଲ ଉପôାଦନ ହୋଇପାରିବେ । ତେଣୁ ବାରମ୍ବାର ଗୁହାରୀ ପରେ ଗାଁକୁ ଓଡ଼ିଶା ଉଠାଜଳସେଚନ ନିଗମ ପକ୍ଷରୁ ଏକ ଉଠାଜଳସେଚନ ପଏଣ୍ଟ ମଂଜୁରୀ ମିଳିଛି । ତେବେ ଗତ ୨୨/୧୨/୨୦୧୬ରିଖରେ ଏହାର ନିର୍ମାଣ କାର୍ଯ୍ୟକୁ ଆରମ୍ଭ କରିଥିଲେ ଜୈନିକ ଠିକାଦାର । ନିର୍ମାଣ କାର୍ଯ୍ୟ ଶେଷ ତାରିଖ ଥିଲା ୨୧/୦୨/୨୦୧୭ । ତେବେ ଉଠାଜଳସେଚନ ବିଭାଗ ଓ ବିଦ୍ୟୁତ ବିଭାଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଉଠାଜଳସେଚନ ବିଭାଗ ପକ୍ଷରୁ ଆଉ ମାତ୍ର ୧୦/୨୦ ପାଇପ ସଂଯୋଗ ବାକି ରହିଛି । ଦୀର୍ଘ ୭/୮ ମାସ ହେବ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଅପରପକ୍ଷେ ଉଠାଜଳସେଚନ ବିଭାଗ ପକ୍ଷରୁ ଗାଁ କୋଠଘରେ ପମ୍ପ ଆଉ ଯନ୍ତ୍ରାଶ ପଡ଼ି ରହି ଖତ ଖାଉଛି । ତଥାପି ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ପରବାଏ ନାହିଁ । ସରକାରିକା ମାଲ ଦରିଆମେଁ ଡ଼ାଲ ନୀତିରେ ରହିଛି ଉଠାଜଳସେଚନ ବିଭାଗ । ତେବେ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ହୋଇଥିଲେ ବର୍ତ୍ତମାନ ଗାଁରେ ପ୍ରାୟ ୭୦ରୁ ୧୦୦ଏକର ଚାଷଜମିରେ କୃଷି ଫସଲ ହୋଇପାରିଥାନ୍ତା । ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟୁତ ବିଭାଗ ଓ ଜଳସେଚନ ବିଭାଗର ଉଦାସୀନତା ନୀତି ଯୋଗୁଁ ଚାଷୀମାନେ କ୍ଷେତକୁ ପାଣିଟିକେ ପାଉନାହାଁନ୍ତି । ଆଉ ସରକାରୀ ବାବୁ ମାନେ କୋଠଘରେ ପମ୍ପ, ଯନ୍ତ୍ରାଂଶ ରଖି ଜଳସେଚନ ବ୍ୟବସ୍ଥା ଯୋଗାଉଛନ୍ତି । ବିଦ୍ୟୁତ ବିଭାଗର ଠିକାଦାର ନିର୍ମାଣ କାର୍ଯ୍ୟ ସାରିଥିଲେ ମଧ୍ୟ ଉଠାଜଳସେଚନ ବିଭାଗକୁ ହସ୍ତାନ୍ତର କରିନାହିଁ ବୋଲି ଶୁଣାଯାଉଛି । ଉଠାଜଳସେଚନ ବିଭାଗ ଯାହା ଦାୟିତ୍ୱ ନିର୍ବାହ କରିବା କଥା ସେଥିରେ ବହୁ ଅବହେଳା କରାଯାଇଥିବା ଜଣାଯାଇଛି । ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ ବିଭାଗ ଓ ଉଠାଜଳସେଚନ ବିଭାଗ ମଧ୍ରରେ ଉତ୍ତମ ସମନ୍ୱୟ ରହୁନାହିଁ ଫଳରେ ଏହାର ଫଳ ଚାଷୀ ଭୋଗିବାକୁ ପଡ଼ୁଛି । ଏନେଇ ଗାଁ ପାଣିପଞ୍ଚାୟତର ସଭାପତି ପ୍ରଶାନ୍ତ କୁମାର ପ୍ରଧାନ ଓ ସଂପାଦକ ସୁନିଲ ସାହୁ କୁହନ୍ତି ଯେ ଉଠାଜଳସେଚନ ବିଭାଗ ଏ କାର୍ଯ୍ୟ କାହିଁକି ଅଟକିଛି ଆଦୌ ସୂଚନା ଦେଇନାହାଁନ୍ତି । ଆଉ ଯେତିକି ସମୟରେ କାମ ସରିବା କଥା ତାହା ମଧ୍ୟ ହେଲା ନାହିଁ । କିନ୍ତୁ ନିର୍ମାଣ କାମ ସଂମ୍ପୂର୍ଣ୍ଣ ହେବା ପରେ ବିଦ୍ୟୁତ ସଂଯୋଗ ନ ହେବା ଯୋଗୁଁ ଉଠାଜଳସେଚନ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଫଳରେ ଗାଁର ଚାଷୀମାନେ ସବୁଥାଇ ମଧ୍ୟ ଫସଲ କରିବାରୁ ବଞ୍ଚିତ ହେଉଛନ୍ତି ।