ଶେଷରେ ୬ ଛୁଆର ମା’କୁ ମିଳିଲା ନ୍ୟାୟ

Aug 25, 2018 - 19:15
 373
କଟକ,୨୫ା୮(ସକାଳଖବର): ସ୍ୱାମୀ ଏବେ ଜେଲରେ । ଏକ ଫୌଜଦାରୀ ମାମଲାରେ ଅଭିଯୁକ୍ତ ଥିବା ସ୍ୱାମୀ ଜେଲରେ ବିଚାରଧିନ କଏଦୀ ଭାବେ ଜୀବନ ବିତାଉଥିବାବେଳେ ପତ୍ନୀ ପୂଜା ସିଂହ ୬ଛୁଆକୁ ଧରି ଅତ୍ୟନ୍ତ ଦୁଃଖରେ ଜୀବନ ବିତାଇବା ପାଇଁ ବାଧ୍ୟ ହେଉଛି । ସିଡିଏ କାଠଯୋଡ଼ି ବିହାର ବସ୍ତିରେ ପୂଜା ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବାବେଳେ ପିଲାଙ୍କ ଦୁଃଖ ଅବର୍ଣ୍ଣନୀୟ । ଗୋଟିଏ ପୁଅର ମାନସିକ ବିକୃତି, ଆଉ ଏକ ପୁଅ ଜନ୍ମରୁ ଅନ୍ଧ, ଆଉ ଜଣେ ପୁଅ ପାଗଳ କୁକୁର କାମୁଡାରେ ଆକ୍ରାନ୍ତ ହୋଇଥିବାବେଳେ ୩ଟି ଝିଅ । ୬ ଛୁଆ ସହ ନିଜେ ପେଟ ଚାଖଣ୍ଡ ପାଇଁ ବାର ଦୁଆର ବୁଲି ଭିକ୍ଷା ବୃତ୍ତିକୁ ସେ ଆପଣାଇ ନେଇଥିଲା । ପୂଜା ଭିକ୍ଷା ମାଗୁଥିବାବେଳେ ଜିଲା ଦୌରାଜଜଙ୍କ ଆଖିରେ ପଡିଥିଲା । କଟକ ଜିଲା କୋର୍ଟ ପରିସରରେ କଟକ ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଦୌରାଜଜ ସତ୍ୟନାରାୟଣ ମିଶ୍ର ପୂଜାକୁ ଦେଖିବା ପରେ ତାର ସମସ୍ୟା କଥା ବୁଝିଥିଲେ । ବାସ୍ତବିକ କଥା ଜାଣିବା ପରେ ଜିଲା ଜଜ ଶ୍ରୀ ମିଶ୍ର ପୂଜାକୁ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିଲେ । ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚôତ ପୂଜା ଏବେ ସମସ୍ତ ସୁବିଧା ପାଇବାରେ ହକ ହୋଇଛନ୍ତି । ପିଲାମାନଙ୍କ ଚଳନି ପାଇଁ ରାସନ କାର୍ଡ, ଆଧାର କାଡର଼୍, ଭିନ୍ନକ୍ଷମ ପ୍ରମାଣ ପତ୍ର, ଡାକ୍ତରୀ ସହାୟତା, ବସ ପାସ ଆଦି ସୁବିଧା ପାଇଛନ୍ତି ପୂଜା । ତେବେ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ଜନମଙ୍ଗଳ ଯୋଜନା କାର୍ଯ୍ୟକ୍ରମ ଜରିଆରେ ଜିଲା ଜଜ ଏସବୁ ସୁବିଧାର ପ୍ରମାଣପତ୍ର ତାକୁ ହସ୍ତାନ୍ତର କରିଛନ୍ତି । ଏଥିସହ ଏହି କାର୍ଯ୍ୟକ୍ରମରେ କୁଶଳି ଶ୍ରମିକଙ୍କୁ ସାଇକେଲ, ଝିଅ ବିବାହ ପାଇଁ ସାହାଯ୍ୟ, ଶ୍ରମିକ ପ୍ରମାଣ ପତ୍ର, ଶିକ୍ଷା ସହାୟତା, ମୃତୁ୍ୟକାଳିନ ସହାୟତା, ବରିଷ୍ଠ ନାଗରିକ ପରିଚୟ ପତ୍ର ସହ ଭତ୍ତା, ଭିନ୍ନକ୍ଷମ ପରିଚୟପତ୍ର, ବିଧବା ଭତ୍ତା, ଏଚଆଇଭି ପରିଚୟ ପତ୍ର, ରାସନ କାର୍ଡ, ବସୁନ୍ଧରା ଯୋଜନା, ବିଜୁ ପକ୍କା ଘର ଯୋଜନା, ଇନ୍ଦିରା ଆବାସ, ସ୍ୱଚ୍ଛ ଭାରତ ଯୋଜନା, ଆଧାର କାର୍ଡ ଆଦି ଉକ୍ତ କାର୍ଯ୍ୟକ୍ରମରେ ବଣ୍ଟନ କରାଯାଇଥିଲା । ସିଭିଲ କୋର୍ଟ ରେଜିଷ୍ଟ୍ରାର ବିଭୁପ୍ରସାଦ ପଣ୍ଡା, ଜିଲା ଆଇନସେବା ପ୍ରାଧିକରଣ ସଚିବ ଗାର୍ଗୀ ପଟ୍ଟନାୟକ, କୋର୍ଟ ମ୍ୟାନେଜର ଆଶିଷ କୁମାର ଘୋଷ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।