ଶିଳ୍ପାନୁଷ୍ଠାନ ଉପରେ ବାକି ପଡ଼ିଛି ୨୬୫୮ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଜଳକର
ଭୁବନେଶ୍ୱର,୧୧/୯ (ସକାଳଖବର): ସରକାରଙ୍କ ସର୍ବଶେଷ ହିସାବ ଅନୁଯାୟୀ ଗତ ଜୁଲାଇ ଶେଷ ସୁଦ୍ଧା ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ୨୬୫୮ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଜଳକର ବାକି ପଡ଼ିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ଉଲ୍ଲେଖ କରିଛନ୍ତି ।
ଶିଳ୍ପାନୁଷ୍ଠାନମାନଙ୍କ ଠାରୁ ବକେୟା ଜଳକର ଆଦାୟ ପାଇଁ ଆଇନ୍ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ଅନାଦେୟ କର ବାବଦ ପ୍ରାପ୍ୟ ଉପରେ ମାସକୁ ଶତକଡ଼ା ୨ ହାରରେ ଚକ୍ରବୃଦ୍ଧି ସୁଧ ଲାଗୁ କରାଯାଉଥିବା ସେ କହିଛନ୍ତି । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟିମାନ ଗଢ଼ା ଯାଇ ଜଳ କର ଆଦାୟ ଲାଗି ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ତଦନୁଯାୟୀ ଗତ ଦୁଇ ବର୍ଷରେ ମହାନଦୀ କୋଲ୍ ଫିଲ୍ଡ ଠାରୁ ୧୪୭ କୋଟି ଏବଂ ଗତବର୍ଷ ନାଲ୍କୋ ଠାରୁ ୫୮ କୋଟି ଟଙ୍କାର ବାକି ଆଦାୟ କରାଯାଇଛି । ଏହାଛଡ଼ା ବିଭାଗୀୟ ଯନ୍ତ୍ରୀମାନଙ୍କୁ ମଧ୍ୟ ବକେୟା ଜଳକର ଆଦାୟ ପାଇଁ ନିଦେ୍ର୍ଧଶ ଦିଆଯାଇଛି ।
ଅଦାଲତଙ୍କ ହସ୍ତକ୍ଷେପ ଯୋଗୁ ୧୮୩୩ କୋଟି ୩୫ ଲକ୍ଷ ଟଙ୍କାର ଜଳକର ଆଦାୟ ହୋଇପାରୁନଥିବା ସରକାର ସୂଚାଇଛନ୍ତି । ତେବେ ମାମଲା ରୁଜୁ କରିଥିବା ଶିଳ୍ପ ସଂସ୍ଥାମାନଙ୍କ ଠାରୁ ବକେୟା ଜଳକରର ଅଧା ଆଦାୟ ପାଇଁ ଉଚ୍ଚ ନ୍ୟାୟାଳୟରେ ବିବିଧ ମାମଲା ରୁଜୁ କରାଯାଇଛି ।
ରାଜ୍ୟ ସରକାରଙ୍କ ଇଡ୍କୋ ଠାରୁ ଆରମ୍ଭ କରି ନୀଳାଚଳ ଇସ୍ପାତ ନିଗମ୍, ଓଡ଼ିଶା ଖଣି ନିଗମ୍, ପାରାଦୀପ ଫସ୍ଫେଟ୍, ପାରାଦୀପ ବନ୍ଦର, ମହାନଦୀ କୋଲ୍ ଫିଲ୍ଡ, ନାଲ୍କୋ, ବେଦାନ୍ତ, ଆଦିତ୍ୟ ଆଲୁମିନିୟମ୍, ଫାକର୍, କୋଣାର୍କ ଝୋଟକଳ, ବଲାରପୁର ଇଣ୍ଡଷ୍ଟ୍ରୀଜ୍, ଆରତୀ ଷ୍ଟିଲ୍, ମାହେଶ୍ୱରୀ ଇସ୍ପାତ, ଭୂଷଣ, ବନହରପାଲୀର ତାପଜ ବିଦୁ୍ୟତ୍, ଆଧୁନିକ ମେଟାଲିକ୍ସ, ଇଡ୍କୋ, ଓଡ଼ିଶା ସିମେଣ୍ଟ ଲିମିଟେଡ୍, ଏନ୍ଟିପିସି, ଜିନ୍ଦଲ ଆଦି ୩୪୬ଟି ସଂସ୍ଥା ଉପରେ ଏହି ମୋଟା ଅଙ୍କର ଜଳକର ବକେୟା ପଡ଼ିଛି । ଟାଟା ଷ୍ଟିଲ୍, ଟାଟା ରିଫ୍ରାକ୍ଟୋରିଜ୍, ସେଲ୍, ଆସିକା ଚିନିକଳ, ଜିନ୍ଦଲ, ଭୂଷଣ, ବେଦାନ୍ତ ଆଦି ବହୁ ସଂସ୍ଥା ଜଳକର ବିରୋଧରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି ।