ପରୀକ୍ଷା ଖାତା ନେଇ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଫେରାର

Aug 31, 2018 - 19:24
 163
ପରୀକ୍ଷା ଖାତା ନେଇ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଫେରାର
କେନ୍ଦ୍ରାପଡ଼ା, ୩୧/୮ (ସକାଳଖବର) ଗତ ତିନିଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଚତୁର୍ଥ ଦିନରେ ସ୍ଥାନୀୟ ବଳଦେବ ହାଇସ୍କୁଲରୁ କିଛି ପିଲା ପରୀକ୍ଷା ଖାତାନେଇ ଫେରାର ହୋଇଯାଇଥିବାର ଅଭିଯୋଗ ହୋଇଛି । ପାଠଛାଡ଼ି ଘରେ ଥିବା ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପାସ୍ କରିବା ପାଇଁ ସରକାରଙ୍କର ଶିକ୍ଷାବିକାଶ ଯୋଜନାରେ ଓଡ଼ିଶା ମୁକ୍ତ ବିଦ୍ୟାଳୟ. ପରୀକ୍ଷା ଅନୁଷ୍ଠିତ ହେଉଛି । ମାତ୍ର ଏହି ପରୀକ୍ଷାରେ ପରୀକ୍ଷାର୍ଥୀମାନେ କପି କରି ପାସ୍ କରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ସ୍ଥାନୀୟ ବଳଦେବ ହାଇସ୍କୁଲ୍ରେ ଆୟୋଜିତ ଏହି ପରୀକ୍ଷାରେ କପି କରିବାକୁ ନେଇ ଶୁକ୍ରବାର ଦିନ ଶିକ୍ଷକ ଓ ପରୀକ୍ଷାର୍ଥୀ ମୁହାଁମୁହିଁ ହୋଇଥିଲେ । କିଛି ସମୟ ଧରି ସ୍କୁଲ୍ ପରିସରରେ ମଧ୍ୟ ଉତେଜନା ସୃଷ୍ଟି ହୋଇଥିଲା । ପରେ ଏହି ପରୀକ୍ଷା କେନ୍ଦ୍ରରୁ ୧୨ ଜଣ ପିଲା ପରୀକ୍ଷା ଖାତା ନେଇ ଫେରାର ହୋଇଯାଇ ଥିବାର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ନାୟକ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ଏହି ୧୨ ଜଣ ଫେରାର ଛାତ୍ରମାନେ ମାର୍ଶାଘାଈ ଅଂଚଳର ବୋଲି ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀଙ୍କ ଠାରୁ ସୂଚନା ମିଳିଛି । ପୋଲିସ୍ ଏତଲା ପାଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନା ଯୋଗ୍ୟଯେ ଏହି ପରୀକ୍ଷା କେନ୍ଦ୍ରରେ ୧୧୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ୧୭ ଜଣ ଅନୁପସ୍ଥିତ ଅଛନ୍ତି ଏବଂ ୧୦୦ ପିଲା ପରୀକ୍ଷା ଦେଉଥିବା ବେଳେ ଖାତା ସହ ୧୨ ପରୀକ୍ଷାର୍ଥୀ ଫେରାର ହୋଇଯାଇଛନ୍ତି ।