ରାଜ୍ୟରେ ମହିଳା ମାନଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି-ଧର୍ମେନ୍ଦ୍ର

Sep 24, 2018 - 18:31
 170
ରାଜ୍ୟରେ ମହିଳା ମାନଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି-ଧର୍ମେନ୍ଦ୍ର
ପୁରୀ,୨୪/୯ (ସକାଳଖବର):ରାଜ୍ୟରେ ମହିଳା ମାନଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି । ଗର୍ଭବତୀ ମହିଳା ମାନେ ଅଟୋରେ, ବାଟରେ , ପୋଲ ତଳେ ପ୍ରସବ କରୁଛନ୍ତି । ଦୁଷ୍କର୍ମ ବଢିବଢି ଚାଲିଛି । ନବୀନ ବାବୁ ଟଙ୍କା ଦେଇ ମହିଳା ମାନଙ୍କ ମୁହଁକୁ ବନ୍ଦ କରିବା ପାଇଁ ଚେଷ୍ଟା କରୁଛନ୍ତି । ମହିଳା ମାନଙ୍କୁ ଟଙ୍କା ନୁହେଁ ଇଜ୍ଜତ ଦରକାର ବୋଲି ମହିଳାମୋର୍ଚ୍ଚାର ପ୍ରତିନିଧି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହିତ ଆଜିର ସମାବେଶରେ ମହିଳା ମାନଙ୍କ ସ୍ଲୋଗାନରୁ ରାଜ୍ୟରେ ପରିବର୍ତନର ଲକ୍ଷଣ ବାରି ହୋଇପଡୁଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ମହିଳା ପ୍ରତିନିଧି ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ, ସରକାର ପରିବର୍ତନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏହାର ନେତୃତ୍ୱ ଓଡିଶାର ମା ଓ ଭଉଣୀ ମାନେ ନେବେ । ପୁରୀର ବଡଦାଣ୍ଡ ନିକଟରେ ମା ଗୁଣ୍ଡିଚାରାଣୀଙ୍କ ପାଦତଳେ ଆଜି ମହିଳା ମାନେ ଏକାଠି ହୋଇଛନ୍ତି ନିଜର ହକ୍ ମାଗିବା ପାଇଁ ।୨୦୧୪ ମସିହାରେ ସରକାର ବନିବା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ମୋ ସରକାର ଗରିବ, ମହିଳା, ଯୁବକଙ୍କ ପାଇଁ ସମର୍ପିତ ସରକାର । ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତରେ ଆସିଥିଲେ କହିଲେ ଉଜ୍ଜଳା ଯୋଜନାରେ ଓଡିଶାରେ ୩୪ ଲକ୍ଷ ମହିଳାଙ୍କୁ ଗ୍ୟାସ ମିଳିଛି । ପ୍ରଧାନମନ୍ତ୍ରୀ ଏକଥା କହିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ତାଙ୍କୁ ଥଟ୍ଟା କରିଥିଲେ । ପ୍ରଧାନମନ୍ତ୍ରୀ ମହିଳା ମାନଙ୍କ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅସହିଷ୍ଣୁ ହୋଇପଡୁଛନ୍ତି । ମହିଳା ମାନଙ୍କ ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ୨୦୧୪ ମସିହାରେ ଲାଲକିଲାରେ ପ୍ରଧାନମନ୍ତ୍ରୀ କହିଥିଲେ । ଅନ୍ୟ ରାଜ୍ୟରେ ମା, ଉଭଣୀ ମାନଙ୍କ ପାଇଁ ପାଇଖାନା ନିର୍ମାଣ ହେଉଥିବା ବେଳେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ପାଇଖାନା ନିର୍ମାଣ କରୁନାହାନ୍ତି । ଏକଥା କହିବାରୁ ତାଙ୍କୁ ବାଧିଲା । ଆଉ ସେ ଉଜ୍ଜଳା ଯୋଜନାରେ ଦୁର୍ନୀତି କଥା ଉଠାଇଲେ । ଏ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରି ସେ କହିଲେ ଯେ, ରାଜ୍ୟରେ ବର୍ତମାନ ସୁଦ୍ଧା ୩୪ ଲକ୍ଷ ମୋଦି ଗ୍ୟାସ ମା ଭଉଣୀ ମାନଙ୍କୁ ମିଳିଛି । ଏହି ସଂଖ୍ୟା ୫୦ ଲକ୍ଷରେ ପହଁଚିବ । ଦିନ ଠିକ୍ କରନ୍ତୁ, ଗାଁ ଠିକ୍ କରନ୍ତୁ, ହିଞ୍ଜିଳିକାଟୁ ହେଲେ ଭଲ ହେବ । ସେ ଘରକୁ ସାଥି ହୋଇ ଯିବା ମୋଦି ଗ୍ୟାସ ଯୋଗୁ ମା ଭଉଣୀ ମାନଙ୍କ ସୁବିଧା ହୋଇଛି କି ନାହିଁ ଜାଣିପାରିବା ।