ରାଜ୍ୟର ୯ଟି ସ୍ଥାନରେ ୧୪ ଡିଗ୍ରୀ ତଳେ ପାରଦ

Nov 16, 2022 - 05:46
 44
ରାଜ୍ୟର ୯ଟି ସ୍ଥାନରେ ୧୪ ଡିଗ୍ରୀ ତଳେ ପାରଦ
ଭୁବନେଶ୍ବର: ଗତ କିଛି ଦିନ ହେବ ନିର୍ମଳ ଆକାଶ ଓ ଖରାଟିଆ ପାଗ ରାଜ୍ୟରେ ଶୀତ ପାଇଁ ଅନୁକୂଳ ବାତାବରଣ ତିଆରି କରିଛି। ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବା ଆରମ୍ଭ ହୋଇଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ଆଜି ରାଜ୍ୟର ୯ଟି ସ୍ଥାନର ପାରଦ ୧୪ ଡିଗ୍ରୀ ତଳକୁ ଖସି ଆସିଛି। ଆଜି କୋରାପୁଟ ଜିଲ୍ଲା ଶିମିଳିଗୁଡା ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି | ଏଠାରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଛି | ଏହାବ୍ୟତୀତ କନ୍ଧମାଳର ଜି. ଉଦୟଗିରିରେ ୮.୦ ଡିଗ୍ରୀ, ଫୁଲବାଣୀରେ ୧୦.୦ ଡିଗ୍ରୀ, କୋରାପୁଟରେ ୧୦.୦ ଡିଗ୍ରୀ, ଦାରିଙ୍ଗବାଡିରେ ୧୦.୫° ଡିଗ୍ରୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ୧୨ ଡିଗ୍ରୀ, ବୌଦ୍ଧରେ ୧୨ ଡିଗ୍ରୀ, ଝାରସୁଗୁଡାରେ ୧୩.୨ ଡିଗ୍ରୀ, କେନ୍ଦୁଝରରେ ୧୩.୪ ଡିଗ୍ରୀ ରେକର୍ଡ କରାଯାଇଛି | ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି।ଅପରପକ୍ଷେ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୪.୫ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କିନ୍ତୁ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।