ଭାରସାମ୍ୟ ହରାଇ ଉଲଟିଲା ପିକଅପ୍, ୨ ମୃତ, ୩୦ରୁ ଅଧିକ ଆହତ

Jan 18, 2019 - 06:31
 152
ଭାରସାମ୍ୟ ହରାଇ ଉଲଟିଲା ପିକଅପ୍, ୨ ମୃତ, ୩୦ରୁ ଅଧିକ ଆହତ
ବାରିପଦା, ୧୭/୧(ସକାଳଖବର): ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ତଥା ଧାନଘେରା- କହ୍ନେଇବନ୍ଧ ରାସ୍ତା ପାଶ୍ୱର୍କୁ ଭାରସାମ୍ୟ ହରାଇ ଉଲଟିଲା ଏକ ପିକଅପ୍ ଗାଡ଼ି । ଫଳରେ ଘଟଣାସ୍ଥଳରେ ୨ ମହିଳାଙ୍କ ମୃତୁ୍ୟ ହୋଇଥିବା ବେଳେ ୩୦ରୁ ଅଧିକ ପିକଅପ୍ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଜନସାଧାରଣ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଖୁଣ୍ଟା, ଉଦଳା ହସପିଟାଲ ସହିତ ବାରିପଦା ସରକାରୀ ମେଡ଼ିକାଲ କଲେଜରେ ଭର୍ତ୍ତି କରାଇବାରେ ସହାୟତା କରିଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଖୁଣ୍ଟା ଥାନା ଅନ୍ତର୍ଗତ ଭସପାଳ ଗ୍ରାମ ନିକଟ ପାହାଡ଼ ଉପରେ ଥିବା ଅଠରଦେଉଳରେ ବାଥୁଡ଼ି ସମ୍ପ୍ରଦାୟର ବଡ଼ାମ ଠାକୁରାଣୀଙ୍କ ଯଜ୍ଞରେ ଯୋଗ ଦେବା ନିମନ୍ତେ ପଡେ଼ାଶୀ ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଆରବନ୍ଧ ଗ୍ରାମରୁ ପ୍ରାୟ ୪୦ରୁ ଅଧିକ ଭକ୍ତ ଓଡ଼ି ୦୧ ଏ-୬୮୮୬ ନମ୍ବର ବିଶିଷ୍ଟ ପିକଅପ୍ ଗାଡ଼ିରେ ଦ୍ରୁତ ଗତିରେ ଆସୁଥିବା ବେଳେ ଧାନଘେରା-କହ୍ନେଇବନ୍ଧ ରାସ୍ତାରେ ଭାରସାମ୍ୟ ହରାଇ ୋସ୍ତା ପାଶ୍ୱର୍କୁ ଉଲଟିପଡ଼ିବାରୁ ଘଟଣାସ୍ଥଳରେ ଆରବନ୍ଧ ଗ୍ରାମର କଟି ଓରଫ ଦ୍ରୌପଦୀ ଖଣ୍ଡେଇ(୬୦) ଓ ସୁଲୋଚନା ବିଶ୍ୱାଳ(୫୦)ଙ୍କ ମୃତୁ୍ୟ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତ୍ୱର ଭାବେ ଆହତ ହୋଇଥିବା ପ୍ରାୟ ୧୦ରୁ ଅଧିକ ଯାତ୍ରୀଙ୍କୁ ବାରିପଦା ସରକାରୀ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କୁ ଉଦଳା ଓ ସାମାନ୍ୟ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଖୁଣ୍ଟା ହସପିଟାଲରେ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଭର୍ତ୍ତି କରାଯାଇଛି । ତେବେ ପିକଅପ୍ରେ ଯାତ୍ରୀ ପରିବହନ ନିମନ୍ତେ ଅନୁମତି ନ ଥିବା ବେଳେ ଏତେ ସଂଖ୍ୟକ ଯାତ୍ରୀ ପରିବହନ କରି ରାସ୍ତାରେ ଯାତାୟତ କରିବା ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ବିଭାଗର କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ଆଜିର ଏହି ଘଟଣା ନୁହେଁ ବିଭିନ୍ନ ସମୟରେ ଏହି ଧରଣର ଘଟଣା ଘଟି ଆସୁଥିବାର ଅନେକ ନଜିର ରହିଛି ।