ବରଗଡ଼: କେନ୍ଦ୍ର ଉପରେ ବର୍ଷିଲେ ନବୀନ
ଭୁବନେଶ୍ୱର,୧୫/୪(ସକାଳଖବର): ସୋମବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର ପାଇଁ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇଛନ୍ତି । ବରଗଡର ଅତାବିରା ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୁଣାକାରଙ୍କ ଉପରେ କେନ୍ଦ୍ର ସରକାର ଜିଏସଟି ଲଗାଇଲେ । ଆମ ସରକାର ଦାବି କରିବା ପରେ ଜିଏସଟି କମିଲା । ଏମଏସପି ଦୁଇଗୁଣା ପାଇଁ କହିଥିଲେ, ଦୀର୍ଘ ଦିନର ଅପେକ୍ଷା ପରେ ବି ନିଷ୍ପତି ନିଆଗଲା ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ସରକାର ଦାବି କଲାପରେ ବି କିଛି ହେଲାନାହିଁ । ବିଧାସଭା ଗୃହ କମିଟି ଦିଲ୍ଲୀ ଗଲେ ତଥାପି କିଛି ମିଳିଲା ନାହିଁ । ସେହିପରି କୋଶଳି ଭାଷାକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ହୋଇଥିଲା । ସେଥିରେ ମଧ୍ୟ ସେ ଚୁପ୍ ରହିଲେ । ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେମାନେ ବି ଓଡ଼ିଶା ପକ୍ଷ ନେଇ ମୁହଁ ଖୋଲିଲେ ନାହିଁ ବୋଲି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି କାଳିଆ ଯୋଜନାରେ ୪୦ ଲକ୍ଷ ·ଷୀ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ । ସାଢେ ୪ କୋଟି ଓଡ଼ିଆଙ୍କ ସହ ମୁଁ ସବୁବେଳେ ରହିଛି । ଏହା ସହ ସେଠାରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।
ସୋମବାର ଦିନ ମୁଖ୍ୟମନ୍ତ୍ରୀ ବରଗଡର ଅତାବିରା ପରେ ପଦ୍ମପୁର ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ।ପରେ ବଲାଙ୍ଗିର ଯାଇ ପାଟଣାଗଡରେ ଆୟୋଜିତ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ବେଲପଡାରୁ ରୋଡ ସୋ କରିବା ପରେ ବେଲପଡାରୁ କଂଟାବାଞ୍ଜି, ବଙ୍ଗୋମୁଣ୍ଡା, ହଲରଦି ଟିଟିଲାଗଡ, ବେଲଗାଁ, ବଲାଙ୍ଗିର, ଲୋଇସିଂହାରେ ରୋଡ ସୋ କରିବେଏବଂ ବରଗଡରେ ମୁଖ୍ୟମନ୍ତ୍ରୀ ରାତ୍ରି ଯାପନ କରିବା କାର୍ଯ୍ୟସୂଚୀ ରହିଛି ।