ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

Jul 27, 2019 - 07:07
 133
ନୂଆଦିଲ୍ଲୀ,୨୫/୭(ସକାଳଖବର):ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି) ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ଓଡିଶାରେ ଓବିସି ଓ ଏସଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ । ଏମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଥିବା କାରଣରୁ ଏମାନଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ବିଶେଷ ସୁବିଧା ଉପଲବ୍ଧ କରାଇବା ଜରୁରୀ । ସମ୍ବିଧାନର ଧାରା ୧୫(୪) ଓ ୧୬ (୪) ର ଉଲ୍ଲେଖ କରି ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି । ଅନେକ ରାଜ୍ୟ ସରକାର ରାଜ୍ୟର ଜନସଂଖ୍ୟାର ଏଭଳି ଏକ ବର୍ଗ ପାଇଁ ଅଧିକ ଶତାଂଶ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ମାତ୍ର ଓଡିଶା ସରକାର ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ଓବିସି ମାନଙ୍କୁ ସଂରକ୍ଷଣ ସୁବିଧା ଦେଉନଥିବା ବେଳେ ଏସଇବିସି ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଇ ନାହାନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଉଭୟ ଓବିସି ଓ ଏସଇବିସି ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଯୋଗ ଦେବାରୁ ବଂଚିତ ହୋଇଛନ୍ତି ଓ ଏହା ପଛରେ ସେମାନଙ୍କର ସାମାଜିକ ଓ ଆର୍ଥିକ ପଛୁଆ ପରିସ୍ଥିତି ମୁଖ୍ୟତଃ ଦାୟୀ । ଏପରି ପରିସ୍ଥିତିରେ ଏହି ବର୍ଗର ଲୋକମାନଙ୍କୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ଅଧିକ ସୁଯୋଗ ଉପଲବ୍ଧ କରାଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।