ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବିଜେପି ମନରେ ଭୟ ସଂଚାର କରୁଛି : ବିଜେଡି

Jan 30, 2019 - 06:20
 180
ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବିଜେପି ମନରେ ଭୟ ସଂଚାର କରୁଛି : ବିଜେଡି
ଭୁବନେଶ୍ୱର, ୨୯/୧(ସକାଳଖବର): ବିଜେଡି ଓ କଂଗ୍ରେସ ଏକ ମୁଦ୍ରାର ଦୁଇ ପାଶ୍ୱର୍ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସାଲେପୁର ଠାରେ ଦେଇଥିବା ବକ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ । କଂଗ୍ରେସ ମତପୋଷଣ କରୁଛି ଯେ ବିଜେପି ଓ ବିଜେଡିର କୌଣସି ସଂପର୍କ ରହିଛି । ଅପରପକ୍ଷରେ ବିଜେପି ଦାବି କରୁଛି ଯେ ବିଜେଡି ଓ କଂଗ୍ରେସର କୌଣସି ସଂପର୍କ ରହିଛି । ବାସ୍ତବରେ ବିଜେଡିର ସଂପର୍କ କେବଳ ଓଡ଼ିଶାର ଜନସାଧାରଣଙ୍କ ସହିତ ରହିଛି । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ରହିଛନ୍ତି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାମାନଙ୍କରେ ତାଙ୍କର ଲୋକପ୍ରିୟତାକୁ ପ୍ରତିପାଦିତ କରୁଛି ଓ ବିଜେପି ମନରେ ଭୟ ସଂଚାର କରୁଛି ବୋଲି ବିଜୁ ଜନତା ଦଳ ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି । ଅନ୍ୟପକ୍ଷରେ ଶ୍ରୀ ଶାହାଙ୍କ ଉଦ୍ବୋଧନ ଭାରତୀୟ ଜନତା ପାର୍ଟିର କର୍ମୀଙ୍କ ଭାଙ୍ଗିଯାଇଥିବା ମନୋବଳକୁ ଉଦ୍ଧାର କରିବାର ଏକ ପ୍ରୟାସ । ବିଜୁ ଜନତା ଦଳ ଭାବିଥିଲା,ଆଜି ଶ୍ରୀ ଶାହା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ଓଡ଼ିଶାର ଯେଉଁ ରାଜନୈତିକ ଦଳମାନେ ଦାବି କରିଆସିଥିଲେ, ତା’ଉପରେ ମତ ରଖିବେ । ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବ ବୋଲି ଯେଉଁ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ପାଳନ କରିନାହିଁ, ତା’ଉପରେ ମତ ରଖିବେ ଏବଂ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ମେଧାବୃତିର ଅର୍ଥ, ଯାହା କେନ୍ଦ୍ର ସରକାର କାଟିଦେଇଛନ୍ତି, ତା’ଉପରେ ନିଜର ମତ ରଖିବେ । କିନ୍ତୁ ଏହା ଦେଖିôବାକୁ ମିଳିଲା ନାହିଁ । ଗତକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ୬୪୦୦ କୋଟି ଟଙ୍କା, ଯାହା ରାଜ୍ୟର ପ୍ରାପ୍ୟର ସମୀକ୍ଷା କରିଥିଲେ । ଓଡ଼ିଶାରେ ପାନୀୟ ଜଳ ବାବଦକୁ ରାଜ୍ୟ ସରକାର ନିଜର ବଜେଟରୁ ୩୦୦୦ କୋଟି ଟଙ୍କା ଖର୍ଚ୍ଚ କରି ସୁବିଧା ଯୋଗାଉଥିଲା ବେଳେ କେନ୍ଦ୍ର ସରକାର ମାତ୍ର ୧୮୦ କୋଟି ଟଙ୍କା ଏ ବାବଦରେ ମଞ୍ଜୁରୀ କରିଛନ୍ତି ଓ ସେଥିରୁ କେବଳ ୮୦ କୋଟି ଟଙ୍କା ଆଜି ପର୍ଯ୍ୟନ୍ତ ଓଡ଼ିଶା ପାଇଛି । ସ୍ମାର୍ଟସିଟି ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ରାଜ୍ୟକୁ ୨୦୦ କୋଟି ଟଙ୍କା ଦେବା କଥା, କିନ୍ତୁ ଆଜି ପର୍ଯ୍ୟନ୍ତ ଓଡ଼ିଶାକୁ କେବଳ ୬ କୋଟି ଟଙ୍କା ଦେଇଛନ୍ତି । ମହାନଦୀ, ପୋଲାଭରମ୍, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି, ୩୩ଟି ଯୋଜନାର ଅର୍ଥକାଟ୍ ଏବଂ ଆଇଏପି, ବିଆର୍ଜିଏଫ୍ ଓ କେବିକେ ଯୋଜନା ଭଳି ୮ଟି ଯୋଜନାକୁ ବନ୍ଦ କରିବା ଆଦି ପ୍ରସଂଗଗୁଡିକ ପ୍ରାଞ୍ଜଳ ଭାବରେ ବିଜେପିର ଓଡ଼ିଶା ବିରୋଧୀ ନୀତିକୁ ପ୍ରକାଶିତ କରୁଛି । ଓଡ଼ିଶାର ଜନସାଧାରଣ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ୫ମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରିବେ ବୋଲି ମନ ସ୍ଥିର କରିସାରିଛନ୍ତି ।