ମୁଖ୍ୟମନ୍ତ୍ରୀଙ୍କ ଭେଟି ସମସ୍ୟା ଜଣାଇଲେ ସୁରତର ପ୍ରବାସୀ ଓଡିଆ

Aug 27, 2018 - 19:05
 191
ମୁଖ୍ୟମନ୍ତ୍ରୀଙ୍କ ଭେଟି ସମସ୍ୟା ଜଣାଇଲେ ସୁରତର ପ୍ରବାସୀ ଓଡିଆ
ଭୁବନେଶ୍ୱର,୨୭/୮ (ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନୀବନ ନିବାସ ଠାରେ ସୋମବାର ଦିନ ଗୁଜୁରାଟର ସୁରତରେ ରହୁଥିବା ୫୦ରୁ ଉଦ୍ଧ୍ୱର୍ ପ୍ରବାସୀ ଓଡିଆ ମାନେ ଭେଟିଥିଲେ । ସୁରତରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏବଂ ଗୁଜୁରାଟ ଆସିବା ପାଇଁ ଅପିଲ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଅନୁରୋଧ ରକ୍ଷା କରି ଗୁଜୁରାଟ ଯିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ଦେଶରେ ଜିଏସଟି ଲାଗୁ ହେବା ଫଳରେ ସୁରଟରେ ବହୁତ ସୂତାକଳ ବନ୍ଦ ହୋଇଯାଇଥିଲା । ଯାହାଫଳରେ ଏହି ସୂତାକଳ ଉପରେ ନିର୍ଭର କରି ଜୀବନଯାପନ କରୁଥିବା ଓଡ଼ିଶାବାସୀଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏପରିକି ଲକ୍ଷ ଲକ୍ଷ କର୍ମଚାରୀ ନିରାଶ ହୋଇ ଓଡ଼ିଶା ଫେରିଆସିବାକୁ ଚାହିଁଥିଲେ । ଏଭଳି ଏକ ମୁହୂର୍ତରେ ଓଡ଼ିଶା ସରକାରଙ୍କ ତରଫରୁ ମନ୍ତ୍ରୀ ଶଶୀଭୂଷଣ ବେହେରା ଏବଂ ସାଂସଦ ପ୍ରଶାନ୍ତ ନନ୍ଦ ସୁରଟ ଯାଇ ସେଠାରେ ଦେଖାଯାଇଥିବା ପ୍ରତିବନ୍ଧକକୁ ଦୂର କରିବାକୁ ଚେଷ୍ଟା କରିଥିଲେ । ଫଳସ୍ୱରୂପ ସୂତାକଳ କିମ୍ବା ଲୁଗା ମିଲଗୁଡିକ ଆଉଥରେ କାର୍ଯ୍ୟକ୍ଷମ ହେବାରେ ଲାଗିଲା । ପୁନଶ୍ଚ ରାଜ୍ୟ ସରକାରଙ୍କ ତରଫରୁ ଏକ ୧୧ଜଣିଆ ପ୍ରତିନିଧି ଦଳ ଯାଇ ସୁରଟରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଥିଲେ । ରାଜ୍ୟ ସରକାରଙ୍କ ଉକ୍ତ ମନୋଭାବକୁ ହୃଦୟଙ୍ଗମ କରି ଆଜି ମୁଖ୍ୟମନ୍ତ୍ରୀଙ୍କୁ ସୁରଟରେ ଥିବା ଅଖିଳ ଭାରତୀୟ ଓଡ଼ିଶା ସମାଜର ସଭାପତି ଅଭିମନୁ୍ୟ ସାହୁ, ସଭ୍ୟ ଇଂ ଲକ୍ଷ୍ମୀପ୍ରସାଦ ନାୟକ, ଶଶୀଭୂଷଣ ରାଉତ, ବିଷ୍ଣୁ ପ୍ରସାଦ ନାୟକ, ଏ. ରାଜେନ୍ଦ୍ର କୁମାର ପାତ୍ର, ଜଗନ୍ନାଥ ନଗର ହାଉସିଂ ସର୍ଭିସ ସୋସାଇଟର ସଭାପତି ବଂଶୀଧର ଲେଙ୍କା, ସଭ୍ୟ ସଂସାର କୁମାର ବିଶୋୟୀ, ବିଜୟ କୁମାର କହଁର, ଜନହିତ ଭାରତୀୟ ସେବା ମଣ୍ଡଳ ଟ୍ରଷ୍ଟର ସୁରଥ କୁମାର ସାହୁ, କେ. ଗୋବିନ୍ଦ ସୁବୁଦ୍ଧିଙ୍କ ସହ ୬୦ଜଣିଆ ପ୍ରବାସୀ ଓଡ଼ିଆ ପ୍ରତିନିଧି ଦଳ ନବୀନ ନିବାସରେ ସାକ୍ଷାତ କରି ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିବା ସହ ସୁରଟ ଯିବା ପାଇଁ ଆମନ୍ତ୍ରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ନିମନ୍ତ୍ରଣକୁ ଗ୍ରହଣ କରି ଆସନ୍ତା ମାସେ ଦୁଇ ମାସ ମଧ୍ୟରେ ତାରିଖ ଚୂଡ଼ାନ୍ତ ହେଲେ ସୁରଟ ଯିବେ ବୋଲି ସମ୍ମତ ଜଣାଇଛନ୍ତି । ଏଥିସହ ସୁରଟରେ ଥିବା ପ୍ରବାସୀ ଓଡ଼ିଆଙ୍କ ଯାହା ସମସ୍ୟା ଅଛି ତାକୁ ରାଜ୍ୟ ସରକାରଙ୍କ ତରଫରୁ ସାଧ୍ୟମତେ ସମାଧାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିବା ଗଞ୍ଜାମ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଡ. ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରଶାନ୍ତ ନନ୍ଦ, ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ସୁରଥ ଚନ୍ଦ୍ର ପ୍ରଧାନ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଏନ. ଧନଞ୍ଜୟ ରାଓ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।