ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୯୫ଟି ସହର ପାଇଁ ୫୦୦ ପାନୀୟ ଜଳ ପ୍ରକଳ୍ପ
ଭୁବନେଶ୍ୱର,୨୪/୧୧ (ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୫୦୦ଟି ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ୯୫ଟି ସହରର ୩୩ ଲକ୍ଷ ଲୋକ ଉପକାର ପାଇବେ । ଏଥିପାଇଁ ୪୦୮ କୋଟି ଟଙ୍କା ବିନିଯୋଗ କରାଯାଇଛି । ଏହାସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ବଲ୍କ ୱାଟର ସପ୍ଲାଇ ପ୍ରୋଜେକ୍ଟର ଉଦଘାଟନ ମଧ୍ୟ କରିଛନ୍ତି । ଏହାଦ୍ୱାରା ଖୋର୍ଦ୍ଧା ଓ ଜଟଣୀ ପୌର ପରିଷଦ ଅଂଚଳ ସହିତ ଭୁବନେଶ୍ୱର ଆଇଆଇଟି, ନାଇଜର ଓ ଇଡ୍କୋ ଅଂଚଳକୁ ମଧ୍ୟ ପାନୀୟ ଜଳର ସୁବିଧା ମିଳିପାରିବ ।
ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, “ପାଇପ ବିଦ୍ରୋହରୀ ୨୦୦ ବର୍ଷ ପୂର୍ତି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ସ୍ମୃତିରେ ମୁଁ ବସୁଧା ପ୍ରକଳ୍ପ ଘୋଷଣା କରିଥିଲି । ଆଜି ବସୁଧା ପ୍ରକଳ୍ପରେଯ ୫୦୦ଟି ପ୍ରକଳ୍ପର ଲୋକାର୍ପଣ କରି ମୁଁ ବହୁତ ଖୁସି । ଏହି ପ୍ରକଳ୍ପ ଦ୍ୱାରା ୯୫ଟି ସହରର ଲୋକ ଉପକାର ପାଇବେ ।”
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶୁଦ୍ଧ ପାନୀୟ ଜଳ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ସ୍ୱାସ୍ଥ୍ୟ ସହିତ ବିଶୁଦ୍ଧ ଜଳର ସମ୍ପର୍କ ରହିଛି ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ଦେଶର ଅର୍ଥନୀତି ଉପରେ ମଧ୍ୟ ଅନେକ ପ୍ରଭାବ ରହିଛି । ତେଣୁ ରାଜ୍ୟର ସବୁ ଘରେ ପାଇପ ଜଳ ଯୋଗାଣ ଆମର ଲକ୍ଷ୍ୟ । ଏଥିପାଇଁ ପାନୀୟ ଜଳ ପ୍ରକଳ୍ପର ବଜେଟରେ ତିନି ହଜାର ପାଞ୍ଚଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସୂଚନାଯୋଗ୍ୟ ଯେ ୨୦୧୪େରେ ପାନୀୟ ଜଳର ପ୍ରକଳ୍ପ ପାଇଁ ବ୍ୟୟବରାଦ ୧୯୦ କୋଟି ଟଙ୍କା ଥିବାବେଳେ ୨୦୧୮ରେ ଏହା ୩୫୦୦ କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି ପାଇଛି । ଏହାଦ୍ୱାରା କେବଳ ସହରାଂଚଳରେ ୭୦ଲକ୍ଷ ଲୋକ ଉପକାର ପାଇବେ ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମର ସବୁଠାରୁ ବଡ଼ ହିତାଧିକାରୀ ହେଉଛନ୍ତି ଆମର ମା’ମାନେ । ଏହାଦ୍ୱାରା ସେମାନଙ୍କ ସମୟ ବଂଚିବ ଏବଂ ଶ୍ରମ ମଧ୍ୟ ଲାଘବ ହେବ । ଜଳ ପରିଚାଳନାରେ ମା’ମାନଙ୍କୁ ସାମିଲ କରିବା ପାଇଁ ସହରାଂଚଳର ୱାଡର଼୍ମାନଙ୍କରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ୱାଟର ମନିଟର ଦାୟିତ୍ୱ ଦିଆଯାଇଛି । ଜଳ ଅମୂଲ୍ୟ । ଆମର ଭବିଷ୍ୟତ ବଂଶଧରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀ, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଭାଗୀୟ ସଚିବ ଜି. ମାଥିଭାତନନ୍ ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ରକଳ୍ପଗୁଡ଼ିକ ସମ୍ବନ୍ଧରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା ।