ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବଡଚଣାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

Mar 4, 2019 - 09:36
 196
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବଡଚଣାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ
ଧର୍ମଶାଳା, ୨/୩(ସକାଳଖବର): ଯାଜପୁର ଜିଲା ବଡଚଣା ବ୍ଲକ ଚଣ୍ଡିଖୋଲ ନିକଟସ୍ଥ ସୁଙ୍ଗୁଡା ଖେଳ ପଡିଆ ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୫୨ କୋଟି ୪୯ଲକ୍ଷ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ସୂଚନା ମୁତାବକ, ବଡଚଣା ବ୍ଲକର ୫ଗୋଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୨୦୭୯.୦୮ଲକ୍ଷ ବ୍ୟୟରେ ନିର୍ମିତ ବଡଚଣା-ବାଲିଚନ୍ଦ୍ରପୁର ପୂର୍ତ ବିଭାଗର ବଡଗେଙ୍ଗୁଟି ସେତୁ ଓ ରାସ୍ତାର ଉଦଘାଟନ, ୬୫ ଲକ୍ଷ ବ୍ୟୟରେ ନିର୍ମିତ ବାଇଶିମୌଜାସ୍ଥିତ ଧନଞ୍ଜୟ ବିଦ୍ୟାପୀଠର ଶହେ ସିଟ୍ ବିଶିଷ୍ଟ ଅନୁସୂଚିତ ଜନଜାତି ଓ ଜାତି ଛାତ୍ରାବାସର ଉଦଘାଟନ, ୫୯୮.୨୭ ଲକ୍ଷ ବ୍ୟୟରେ ନିର୍ମିତ ସୁକାଦେଇପୁର-ଡିହକରନ୍ଦା ରାସ୍ତାର ସାନଗେଙ୍ଗୁଟି ନଦୀରେ ବିଜୁ ସେତୁ, ୧୮୪.୬୫ ଲକ୍ଷ ବ୍ୟୟରେ ନିର୍ମିତ ଚଣ୍ଡିଖୋଲ ଜିଲା ଅଡିଟ କାର୍ଯ୍ୟାଳୟ, ବଡଚଣା ବ୍ଲକ ନିକଟରେ ୮ଲକ୍ଷ ଟଙ୍କା ବ୍ୟୟରେ ସ୍ୱାଧିନତା ସଂଗ୍ରାମୀ ସ୍ମୃତିସ୍ତମ୍ଭକୁ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେହିପରି ବନ୍ଦାଳୋ ଏଣ୍ଡରପଦା ରାସ୍ତା ଉନ୍ନତିକରଣ, ଲଳିତଗିରି-ଉଦୟଗିରି ଓ ରତ୍ନଗିରି ରାସ୍ତାର ଉନ୍ନତିକରଣ, ସାନଗେଙ୍ଗୁଟି ନଦୀବନ୍ଧ ସୁରକ୍ଷା ପ୍ରକଳ୍ପ, ବାଲିଚନ୍ଦ୍ରପୁର ଗ୍ରୀଡ ସବଷ୍ଟେସନ,ଭୁବନପୁର-ଜଗନ୍ନାଥପୁର ରାସ୍ତା ଓ ସାନଗେଙ୍ଗୁଟି ନଦୀ ଓ ହାଇଲେଭୁଲ ସେତୁ ସହିତ ଆଦି ପ୍ରକଳ୍ପ ଗୁଡିକର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଚଣ୍ଡିଖୋଲ କଲେଜ ପରିସରରେ ଉକôଳ ବିଶ୍ୱବିଦ୍ୟାଳୟର ୨ୟ ଗ୍ରାମୀଣ କ୍ୟାମ୍ପସର ଉଦଘାଟନ କରିଛନ୍ତି । ନିର୍ଦ୍ଧାରୀତ ସମୟରେ ଆଜି ମୁଖ୍ୟମନ୍ତ୍ରୀ ହେଲିକପଟର ଯୋଗେ ପଂହଚିବା ପରେ ଉଚ୍ଚଶିକ୍ଷାମନ୍ତ୍ରୀ ଅନନ୍ତ ଦାସ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଯାଜପୁର ସାଂସଦ ରୀତା ତରେଇ, ମୁଖ୍ୟ ସଚେତକ ତଥା ବିଧାୟକ ଅମର ଶତପଥୀ, ବରୀ ବିଧାୟକ ଦେବାଶିଷ ନାୟକ, କୋରାଇ ବିଧାୟକ ଆକାଶ ଦାସ ନାୟକ, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଜିଲାପରିଷଦ ଅଧ୍ୟକ୍ଷ ନରେଶଚନ୍ଦ୍ର ମହାନ୍ତି, ଜିଲାପାଳ ରଂଜନ କୁମାର ଦାସ, ପଂଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ପରେ ବିଧାୟକ ଶ୍ରୀ ଶତପଥ ବଡଚଣା ମାଟିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହିତ ବିଭିନ୍ନ ପ୍ରକଳ୍ପ ବିଷୟରେ ଅବଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କହିଥିବା ବେଳେ କାଳିଆ ଯୋଜନାରେ ଆପଣ ମାନେ ଖୁସି ତ, ମୁଁ ବି ଖୁସି କହି ସଭା ସ୍ଥଳରେ ମୁରୁକି ହସିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମୁରକି ହସ ଦେଖି ସଭାସ୍ଥଳ ହୁଳହୁଳି ଓ ନବୀନ ପଟ୍ଟନାୟକ ଜୟଜୟ କାର ଧ୍ୱନୀରେ ପ୍ରକମ୍ପିତ ହୋଇପଡିଥିଲା । ସଭା ଆରମ୍ଭରୁ ଜିଲାର ଯୋଗଦେଇଥିବା ବିଧାୟକ ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ ।