ମୁଖ୍ୟମନ୍ତ୍ରୀଙ୍କ ଗୁରୁଦିବସ କାର୍ଯ୍ୟକ୍ରମ ବନ୍ଦ

Sep 4, 2018 - 19:03
 252
ମୁଖ୍ୟମନ୍ତ୍ରୀଙ୍କ ଗୁରୁଦିବସ କାର୍ଯ୍ୟକ୍ରମ ବନ୍ଦ
କୋରାଇ,୪/୯ (ସକାଳଖବର): ଗୁରୁ ଦିବସରେ ସମଗ୍ର ରାଜ୍ୟରେ ବ୍ଲକସ୍ତରୀୟ ମେଧାବୃତି କାର୍ଯ୍ୟକ୍ରମ ହେବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ରାଜ୍ୟର ସମସ୍ତ ବ୍ଲକ୍ରେ ଥିବା ବିଦ୍ୟାଳୟର ମେଧାବି ଛାତ୍ରଛାତ୍ରୀଙ୍କ ସମତେ ସେମାନଙ୍କ ଅଭିଭାବକ ଏବଂ ଶିକ୍ଷକମାନଙ୍କୁ ଗୁରୁଦିବସ ଦିନ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଖୋଦ୍ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍ଫେରନ୍ସ ଜରିଆରେ ଛାତ୍ରଛାତ୍ରୀଙ୍କ ସହିତ ବାର୍ତାଳାପ କରିବା ସହିତ ସେମାନଙ୍କୁ ପୁରସ୍କୃତ କରିଥାନ୍ତେ । ଏନେଇ ଗତ ଅଗଷ୍ଟ ମାସରେ ସ୍କୁଲ୍ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବ୍ଲକ୍ ଶିକ୍ଷାମଣ୍ଡଳ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ହେଲେ ଆଜିଠାରୁ ପଂଚଦଶ ବିଧାନସଭାର ମୌସୁମି ଅଧିବେଶନ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ କନ୍ଫେରେନସ୍ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି ବୋଲି ବିଡ଼ିଓ ଏବଂ ବିିଇଓମାନଙ୍କୁ ଅବଗତ କରାଯାଇଛି । ଫଳରେ ମେଧାବୃତି ପାଇବାକୁ ଚୟନ ହୋଇଥିବା ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଶ୍ରେଷ୍ଠ ବିଦ୍ୟାଳୟ ପାଇଁ ଚୟନ ହୋଇଥିବା ସ୍କୁଲ୍ କର୍ତୁପକ୍ଷ ନିରାଶ ହୋଇଛନ୍ତି । ପ୍ରକାଶ ଯେ ଚଳିତ ବର୍ଷ ଗୁରୁଦିବସ ଦିନ ରାଜ୍ୟର ସମସ୍ତ ୩୧୪ ବ୍ଲକ୍ର ମେଧାବି ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାବୃତି ଏବଂ ମୁଖ୍ୟମନ୍ତ୍ରୀ ମେଧାବୃତି ପ୍ରଦାନ କରାଯିବା ସହିତ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ଶିକ୍ଷକ ମାନଙ୍କୁ ମଧ୍ୟ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏହା ସହିତ ବ୍ଲକ୍ର ଶ୍ରେଷ୍ଠ ବିଦ୍ୟାଳୟକୁ ମଧ୍ୟ ଚୟନ କରାଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ।