ମୁଖ୍ୟମନ୍ତ୍ରୀଙ୍କ ଅଭିନୟ ଏଥର ଶେଷ ହେବ – ଧର୍ମେନ୍ଦ୍ର

Apr 7, 2019 - 06:06
 167
ଭୁବନେଶ୍ୱର,୬/୪(ସକାଳଖବର): ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କେନ୍ଦ୍ରୀୟ ଅବହେଳା ଅଭିଯୋଗ ଉପରେ ସାମାଜିକ ଗଣମାଧ୍ୟମରେ କଡା ପ୍ରତିକ୍ରିୟା ରଖି ଏଥର ମୁଖ୍ୟମନ୍ତ୍ରୀଙ୍କ ଶେଷ ଅଭିନୟ ଶେଷ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ବିଜେପି ନେତାମାନଙ୍କର ଓଡିଶାର ସମସ୍ୟା ସମୟରେ ଦେଖାନଥିବା ବେଳେ ନିର୍ବାଚନ ସମୟରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଅଭିଯୋଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ମିଥ୍ୟା ତଥ୍ୟର ସୌଦାଗର କହି କଡା ସମାଲୋଚନା କରିଛନ୍ତି ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡିଶାରେ ୧୦ ହଜାର କିମି ଜାତୀୟ ରାଜପଥ ଆସିଥିବା ବେଳେ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ କାମକୁ କିଏ ଅଟକାଇଛି? ପାଇକବିଦ୍ରୋହର ସ୍ମୃତି ପାଇଁ ଜମି ଦେବାକୁ କହି କିଏ ଠକିଛି? ଖୋର୍ଦ୍ଧା ରେଳ ଲାଇନ ପାଇଁ ଜାଗା କିଏ ଦେଇନାହିଁ? ମାଲକାନଗିରି, ନବରଙ୍ଗପୁର ଜିଲ୍ଲାକୁ ରେଳ ଲାଇନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଥିବା ସର୍ତରେ କିଏ ଖିଲାପ କରିଛି? ମୁଖ୍ୟମନ୍ତ୍ରୀ ପ୍ରଜାତନ୍ତ୍ର ମାଧ୍ୟମରେ ବାରମ୍ବାର ଓଡିଆ ଲୋକଙ୍କୁ ଲଣ୍ଠନ ଦେଖାଇବେ ବୋଲି ଭାବୁଛନ୍ତି । ଏଥର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଆ ଲୋକଙ୍କ ମଧ୍ୟରେ ପ୍ରହେଳିକା ସୃଷ୍ଟି କରିବାର ଅପଚେଷ୍ଟା ବିଫଳ ହେବ ବୋଲି ସେ କହିଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଚିରାଚରିତ ଅଶ୍ୱୀୟା ଭାବକୁ ବାମମ୍ବାର ପ୍ରକାଶ କରୁଛନ୍ତି । ଓଡିଶାକୁ ବିପଦ ସମୟରେ ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁଆଡେ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ନବୀନ ବାବୁଙ୍କୁ ସ୍ମରଣ ଶକ୍ତି ଅବକ୍ଷୟ ହୋଇଯାଇଥିବ । ୧୯୯୯ ମହାବାତ୍ୟା ବେଳେ ଓଡିଶାର ଅଧା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଓଡିଶା ନିଜ ଗୋଡରେ କପରି ଛିଡାହେବ ସେ ନେଇ ଚିନ୍ତାଜନକ ସ୍ଥିତିରେ ଥିଲା । ଏହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଓଡିଶାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ ବଜ୍ର ଘୋଷଣା କରି ଏହାର ଦାୟିତ୍ୱ ନେଇଥିଲେ । ଏହାକୁ ଆଜି ସମୀକ୍ଷା କରିବାର ସମୟ ଆସିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।