ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶ ପରେ ୧୭,୦୦୦ ଧାର୍ମିକ ସ୍ଥାନରେ କମିଲା ଲାଉଡସ୍ପିକରର ଶବ୍ଦ

Apr 26, 2022 - 09:22
 63
ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶ ପରେ ୧୭,୦୦୦ ଧାର୍ମିକ ସ୍ଥାନରେ କମିଲା ଲାଉଡସ୍ପିକରର ଶବ୍ଦ
ଲକ୍ଷ୍ନୌ: ଗତ ସପ୍ତାହରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ ଯେ, ଅନୁମତି ନେଇ ରାଜ୍ୟର ଧାର୍ମିକ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କରାଯାଇପାରିବ। କିନ୍ତୁ ସଂପୃକ୍ତ ପରିସର ବାହାରକୁ ଶବ୍ଦ ଆସିପାରିବ ନାହିଁ। ଏହି ଘୋଷଣା ପରେ ବର୍ତ୍ତମାନ ରାଜ୍ୟର ୧୭,୦୦୦ ଧାର୍ମିକ ସ୍ଥାନରେ ଲାଉଡସ୍ପିକରର ଶବ୍ଦକୁ କମ କରାଯାଇଛି। ଯେଉଁମାନେ ଧାର୍ମିକ ସ୍ଥାନଗୁଡ଼ିକର ଦାୟିତ୍ୱରେ ଅଛନ୍ତି ସେମାନେ ନିଜେ ଏହି ପଦକ୍ଷେପ ନେଇଛନ୍ତି। ଅନ୍ୟପକ୍ଷରେ ୟୁପିର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମିରେ ଲାଗିଥିବା ଲାଉଡସ୍ପିକରକୁ ହଟାଇ ଦିଆଯାଇଛି। ଏହାପୂର୍ବରୁ ପ୍ରତିଦିନ ସକାଳେ ଏହି ମନ୍ଦିରରେ ଦେଢ଼ ଘଣ୍ଟା ଧରି ଧାର୍ମିକ ଗୀତ ବଜାଯାଉଥିଲା, କିନ୍ତୁ ଏହାକୁ ଏ‌ବେ ବନ୍ଦ କରିଦିଆଯାଇଛି। ଏହା ସହ ଗୋରଖନାଥ ମନ୍ଦିରରେ ଲାଉଡସ୍ପିକରର ଶବ୍ଦକୁ କମ କରିଦିଆଯାଇଛି।