ମୁଖ୍ୟ ଶାସନ ସଚିବଙ୍କୁ ଏଏସଆଇର ମହାନିର୍ଦେଶକଙ୍କ ଚିଠି

Nov 29, 2018 - 17:40
 206
ମୁଖ୍ୟ ଶାସନ ସଚିବଙ୍କୁ ଏଏସଆଇର ମହାନିର୍ଦେଶକଙ୍କ ଚିଠି
ନୂଆଦିଲ୍ଲୀ, ୨୯/୧୧(ସକାଳଖବର): ଓଡିଶାରେ ବିଭିନ୍ନ ସ୍ଥାନରେ ଏଏସଆଇର ସଂରକ୍ଷଣ କାର୍ଯ୍ୟ ବାଧିତ ହେବା ସମ୍ପର୍କିତ ରିପୋର୍ଟ ଆସିବା ତଥା ବିଭିନ୍ନ ସ୍ଥଳର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ବେଳେ ଭୁବନେଶ୍ୱର ଅଫିସକୁ ଫଙ୍କସନାଲ ସମସ୍ୟା ଆସିବା ପରେ ଏ ବାବଦରେ ଥିବା ସମସ୍ୟାର ସମାଧାନ କରିବା ପାଇଁ ଏକ ବୈଠକ ଆୟୋଜିତ କରିବାକୁ ଏସଆଇର ମହା ନିର୍ଦେଶକ ରାଜ୍ୟର ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ରାଜ୍ୟ ସରକାରଙ୍କ ସୁବିଧା ଅନୁସାରେ ତାରିଖ ଓ ସମୟ ସ୍ଥିର କଲେ ଏଏସଆଇର ଟିମ ଓ ମୁଖ୍ୟ ସଚିବଙ୍କ ସହ ବୈଠକ କରି ଏ ସମ୍ପର୍କରେ ଅବଗତ କରାଇବା ସହ ସମସ୍ୟାର ସମାଧାନ ବାହାର କରା ଯାଇ ପାରିବ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଉଷା ଶର୍ମା ଏହି ପତ୍ରରେ କହିଛନ୍ତି ଯେ ଏଏସଆଇ ଓଡିଶାର ୭୯ଟି ସଂରକ୍ଷିତ କିର୍ତୀରାଜିର ସଂରକ୍ଷଣ କାମ ହାତକୁ ନେଇଛି । ଏଥି ମଧ୍ୟରୁ କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ପାଇଛି । ଏହାର ସଂରକ୍ଷଣ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ଅନୁସାରେ ଏଏସଆଇ ଦ୍ୱାରା କରା ଯାଉଛି । ଭୁବନେଶ୍ୱର ସ୍ଥିତ ଏଏସଆଇର ସର୍କଲ ଅଫିସ ଏହି କିର୍ତୀରାଜି ଗୁଡିକର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଉପରେ ସମ୍ପୂର୍ଣ ଧ୍ୟାନ ଦେଉଛି । ସେହିପରି ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର,କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି, ଉଦୟଗିରି ଗୁମ୍ଫା ଆଦିର ରକ୍ଷଣା ବେକ୍ଷଣ ଓ ସଂରକ୍ଷଣ ଉପରେ ଭୁବନେଶ୍ୱର ସର୍କଲ କାର୍ଯ୍ୟାଳୟ ସମ୍ପୂର୍ଣ ଧ୍ୟାନ ଦେଉଛି । ତେବେ ରାଜ୍ୟର କିଛି ସ୍ଥଳରେ ଏଏସଆଇର ସଂରକ୍ଷଣ କାମ ବାଧିତ ହେବା ସମ୍ପର୍କିତ କିଛି ରିପୋର୍ଟ ଆସିଛି । ସେହିପରି କିଛି କିର୍ତୀରାଜିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାମ ବେଳେ ଭୁବନେଶ୍ୱର ସ୍ଥିତ ଏଏସଆଇର ସର୍କଲ ଅଫିସକୁ କିଛି ଫଙ୍କସନାଲ ସମସ୍ୟାର ସାମନା କରିବାକୁ ପଡୁଛି । ଏହାର ସମାଧାନ ଶୀଘ୍ର ହେବା ଆବଶ୍ୟକ । ତେଣୁ ଏ ବାବଦରେ ଥିବା ସମସ୍ୟାର ସମାଧାନ କରିବା ପାଇଁ ଏକ ବୈଠକ ଆୟୋଜିତ କରିବାକୁ ସମୟ ପ୍ରଦାନ କରିବାକୁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି ।