ମୁଖ୍ୟମନ୍ତ୍ରୀଙ୍କ ପତ୍ରରେ ସତ୍ୟତା ନାହିଁ – କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

Nov 29, 2018 - 17:39
 162
ମୁଖ୍ୟମନ୍ତ୍ରୀଙ୍କ ପତ୍ରରେ ସତ୍ୟତା ନାହିଁ – କେନ୍ଦ୍ର ସଂସ୍କୃତି ମନ୍ତ୍ରୀ
ନୂଆଦିଲ୍ଲୀ, ୨୯/୧୧(ସକାଳଖବର): କୋଣାର୍କରେ କାରୁକାର୍ଯ୍ୟପୂର୍ଣ ପଥର ପରିବର୍ତନ ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଲେଖିଥିବା ପତ୍ରର ତଥ୍ୟରେ ସତ୍ୟତା ନ ଥିବା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ତାଙ୍କ ଉତରରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ଶ୍ରୀ ଶର୍ମା କହିଛନ୍ତି ଯେ କୋଣାର୍କ ମନ୍ଦିରର ସଂରକ୍ଷଣ ଏକ ନିରନ୍ତର କାର୍ଯ୍ୟ ଓ ବିଭିନ୍ନ ସମୟରେ ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆ ଯାଇଛି । ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜଗମୋହନ ମନ୍ଦିରର ବ୍ୟାପକ ଢାଂଚାଗତ ମରାମତି କାମ କରାଯାଇଥିଲା । ୧୯୮୫ ପରେ ଏଏସଆଇର ଓଡିଶା ସର୍କଲ ଖୋଲିବା ପରେ ପ୍ରମୁଖ ସଂରକ୍ଷଣ କାର୍ଯ୍ୟ କରାଯାଇ ତିନିଟି ସିଡି ମରାମତି ଓ ଦୃଢୀକରଣ କାମକୁ ଉପଲବ୍ଧ ପ୍ରସ୍ତରରେ ସରଳ ଜିଓମେଟ୍ରିକାଲ ଡିଜାଇନ କରାଯାଇ ଏହି କାର୍ଯ୍ୟକୁ ସମ୍ପାଦନ କରାଯାଇଛି । ଏହା ପରେ ଆବଶ୍ୟକତା ଆଧାରରେ ପ୍ରଚଳିତ ନୀତି ଅନୁସାରେ ପଥର ନଥିବା ସ୍ଥାନରେ ସଂରକ୍ଷଣ କାମ କରାଯାଇଛି । ଢାଂଚାର ସୁରକ୍ଷା ପାଇଁ ଯେଉଁ ଠାରେ କାରୁକାର୍ଯ୍ୟପୂର୍ଣ ପଥର ନାହିଁ, ସାଧା ପଥରରେ କାମ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ଶର୍ମା କହିଛନ୍ତି ଯେ ୪୦ ପ୍ରତିଶତ କାରୁକାର୍ଯ୍ୟପୂର୍ଣ ପଥର ପରିବର୍ତିତ କରାଯିବା ଆଦୌ ସତ୍ୟ ନୁହେଁ ଓ ଏପରି କରା ଯାଇ ନାହିଁ । ସମସ୍ତ କାର୍ଯ୍ୟ ଏଏସଆଇର ସଂରକ୍ଷଣ ନିୟମାବଳୀ ଓ ଅନ୍ତରାଷ୍ଟ୍ରୀୟ ସଂରକ୍ଷଣ ଚାର୍ଟରର ଗାଇଡଲାଇନ ଆଧାରରେ କରା ଯାଇଥିବା ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ସେ ଏହି ପତ୍ରରେ କହିଛନ୍ତି ଯେ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ ପଥରର ସୁରକ୍ଷା ପାଇଁ ଅଧିକ ଯତ୍ନ ନିଆଯାଇଛି । କାରୁକାର୍ଯ୍ୟପୂର୍ଣ ପଥରର କ୍ଷୟ ରୋକିବା ପାଇଁ ଅନେକ ପଦ୍ଧତିକୁ ବ୍ୟବହାର କରା ଯାଇ ସଂରକ୍ଷଣ କରା ଯାଇଛି ।