ନିର୍ବାଚନୀ ଋଣନୀତି:ସରକାର ଛାଡ଼ିବେ କୃଷି ଋଣ, ୭ରେ ବୈଠକ

Nov 29, 2018 - 17:43
 325
ନିର୍ବାଚନୀ ଋଣନୀତି:ସରକାର ଛାଡ଼ିବେ କୃଷି ଋଣ, ୭ରେ ବୈଠକ
ର୍ଭୁବନେଶ୍ୱର, ୨୯/୧୧(ସକାଳଖବର): ପ୍ରାଇସ୍ , ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ସମ୍ପର୍କରେ ଗଠିତ ମନ୍ତ୍ରୀ ସ୍ତରୀୟ କମିଟିର ବୈଠକ ଗୁରୁବାର ସଚିବାଳୟ ଠାରେ କମିଟିର ଅଧ୍ୟକ୍ଷ ତଥା ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ସମୟ ଧରି ବୈଠକ ଚାଲିଥିଲେ ହେଁ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇନଥିଲା । ପୁନର୍ବାର ଆଉ ଏକ ବୈଠକ ଆସନ୍ତା ୭ ତାରିଖ ଦିନ କୃଷି ଭବନରେ ବସିବ । ଉକ୍ତ ଦିନ ଚାଷୀ ସଂଗଠନର ନେତାଙ୍କ ସହିତ ଆଲୋଚନା କରି ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଆଗାମୀ ନିର୍ବାଚନ ଦୃଷ୍ଟିରୁ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଉଛି । ବୈଠକରେ ଚାଷୀଙ୍କ କୃଷିଋଣ ଛାଡ଼ ନେଇ ସଂଘ ପକ୍ଷରୁ ଦାବି ଉଠିପାରେ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଏନେଇ ଏକ ବୁଝାମଣା ହେବାର ସମ୍ଭାବନା ରହିଛି । ବୁଝାମଣା ଅନୁଯାୟୀ ଦଳ କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ କରିବା ନେଇ ସଂଘକୁ ପ୍ରତିଶ୍ରୁତି ଦେବେ । ବିଜେଡ଼ି ଏହାକୁ ନିର୍ବାଚନ ଇସ୍ତାହାରରେ ମଧ୍ୟ ସ୍ଥାନ ଦେବ । ସଂଘ ଓ ସରକାର ମିଶି ଏହାକୁ ନିର୍ବାଚନୀ ଅସ୍ତ୍ରରେ ପରିଣତ କରିବେ ଯାହା ନିର୍ବାଚନରେ ବିଜେଡ଼ିକୁ ସୁହାଇବ । ଆଜିର ବୈଠକରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ , ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଭାଗୀୟ ସଚିବ ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ । .