ଆଇଏଏସଙ୍କ ବାସଗୃହରୁ ସରକାରୀ ସଂପତ୍ତି ପ୍ରତ୍ୟାହାର
ରାଉରକେଲା, ୨୮/୭(ସକାଳଖବର): ରାଉରକେଲା ଠାରେ ଥିବା ଏକ ସରକାରୀ ବାସଗୃହକୁ ପ୍ରାୟ ୭୦ ଲକ୍ଷ ଖର୍ଚ୍ଚ କରାଯାଇ ନବୀକରଣ କରାଯିବା ମାମଲାକୁ ଓଡିଶା ଲୋକାୟୁକ୍ତ ଗ୍ରହଣ କରି ମାମଲା ରୁଜୁ କରିବା ପରେ ସେ ଘରେ ଲାଗିଥିବା ବ୍ଲୁଷ୍ଟାର କଂପାନୀର ୧୨ଟି ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ଗୋଟିଏ ଡିଜି ସେଟ୍ କୁ ଖୋଲି ନିଆଯାଇଥିବା ଖବର ମିଳିଛି ।
ଖବରରୁ ଜଣାପଡିଛି, ଏହି ମାମଲା ପ୍ରଘଟ ହେବା ପରେ ମାଡାମ୍ ପଣ୍ଡାଙ୍କର ବଦଳି ହେଲା । ପରେ ସେ ପ୍ରାୟ ୨ ଟ୍ରକ୍ ଆସବାବପତ୍ର ସେଠାରୁ ଧରି ଭୁବନେଶ୍ୱର ଗଲେ । ତା ପରେ ମହାନଗର ନିଗମ ତରଫରୁ ଲୋକ ପଠାଯାଇ ୧୨ଟି ଏସି ଓ ଡିଜି ସେଟ ସବୁ ଖୋଲି ଏକ ଯାଗାରେ ଲୁଚାଇ ରଖାଯାଇଛି । ଏସବୁ ସାମଗ୍ରୀ ସେଠାରେ ମହାନଗର କାହିଁକି ଲଗାଇଥିଲା ବୋଲି ମହାନଗରର ଜଣେ ବରିଷ୍ଠ କର୍ମଚାରୀଙ୍କୁ ପଚରା ଯିବାରୁ ସେ କହିଛନ୍ତି ଯେ, ଯେହେତୁ ମାଡାମ୍ ମହାନଗରର କମିଶନର ଦାୟିତ୍ୱରେ ଥିଲେ ସେଥିଲାଗି ଏସବୁ ସେଠାରେ ଲଗାଯାଇଥିଲା । ଖାଲି ସେତିକି ନୁହେଁ ସଠିକ୍ ତଦନ୍ତ ହେଲେ ଆହୁରି ଅନେକ କଥା ପଦାକୁ ଆସିବ ବୋଲି ସେ ଦୃଢ଼ତାର ସହ କହିଛନ୍ତି । ଅନ୍ୟପକ୍ଷରେ ଆରଡିଏର ଯନ୍ତ୍ରୀ ସେ ଘରର ଚାବି ରଖିଥିବା ବେଳେ ମିଡିଆକୁ ସେଠାକୁ ଛଡା ଯାଉନାହିଁ । ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ, ୭୦ ଲକ୍ଷ ଖର୍ଚ୍ଚର ଅଭିଯୋଗକୁ ପୁରା ଉଡାଇ ଦେବା ଲାଗି ଧିରେ ଧିରେ ସେ ଘରକୁ ନଷ୍ଟ କରାଜିବା ଓ ବିଭିନ୍ନ ସାମଗ୍ରୀ ଖୋଲି ନେବା ଲାଗି ଉଦ୍ୟମ ଜାରୀ ରହିଛି । କାରଣ ଲୋକାୟୁକ୍ତଙ୍କ ପାଖରେ ଅଭିଯୁକ୍ତ ମାନଙ୍କର ବୟାନ ପହଁଚିଲା ପରେ ଏହି ମାମଲାରେ ସରଜମିନ ତଦନ୍ତ ଲାଗି ନିଶ୍ଚୟ ଲୋକାୟୁକ୍ତ ଏକ ଟିମ୍ ସେଠାକୁ ପଠାଇ ପାରନ୍ତି । ତେଣୁ ଟିମ୍ ଆସିବା ଆଗରୁ ସବୁ କିଛି ଖାଲି କରିଦେଲେ କାହାକୁ କିଛି ଉତର ଦେବାକୁ ପଡିବନି, ସେଥିଲାଗି ଏସବୁ କରାଯାଉଥିବା କୁହାଯାଉଛି । ଆରଡିଏର ଥିବା ଦୋକାନ ଘର ଗୁଡିକ ମରାମତି ଲାଗି ହୋଇଥିବା ଫାଇଲରେ ମାଡାମ୍ ଦସ୍ତଖତ କରି ପାରିଲେନି ଯେଉଁଥିଲାଗି ୩ଟି ମାର୍କେଟ୍ ର ମରାମତି ଆଜିଯାଏ ହେଲା ନାହିଁ । ଅଥଚ ସେହି ମାର୍କେଟ ବାଲା ଦେଉଥିବା ମାସିକ ୧୩ ଲକ୍ଷ ଟଙ୍କାର ଭଡାରେ ସେ ସମୟରେ ମାଡାମ ରହୁଥିବା ଘରର ନବୀକରଣ ଲାଗି ୭୦ଲକ୍ଷ ଖର୍ଚ୍ଚ ହୋଇପାରିଲା । ଏକଥା ଏବେ ଦୋକାନୀ ମାନେ ଆଲୋଚନା କରିବା ସହ ସରକାରଙ୍କ ବଡ ବାବୁ ମାନେ ଭୁଲ୍ କଲେ ତାହା ଭୁଲ୍ ନୁହେଁ । ଗରୀବ ଲୋକଟେ କିଛି ଭୁଲ୍ କଲେ ସେ ବଡ ଅପରାଧୀ ହୋଇଯାଉଛି । ତେଣୁ ସମସ୍ତ କଟକଣା କେବଳ ଗରିବ ପାଇଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।