କ୍ଷମତାକୁ ଆସିବାକୁ ହେଲେ ନିର୍ବାଚନ ଜିତିବାକୁ ପଡିବ:ସୌମ୍ୟ

Aug 20, 2022 - 06:05
 71
କ୍ଷମତାକୁ ଆସିବାକୁ ହେଲେ ନିର୍ବାଚନ ଜିତିବାକୁ ପଡିବ:ସୌମ୍ୟ
ଭୁବନେଶ୍ବର: ବରିଷ୍ଠ ପର୍ୟ୍ୟବେକ୍ଷକ ତାଲିକା ପ୍ରକାଶ କରିଛି ବିଜେଡି । ତାଲିକାରୁ ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ ବାଦ ଦେଇଛି ଦଳ । ବରିଷ୍ଠ ପର୍ୟ୍ୟବେକ୍ଷକ ତାଲିକାରୁ ବାଦ ପଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ସୌମ୍ୟ କହିଛନ୍ତି ଯେ, ମୋତେ ୯ ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା । ମୁଁ ବିଭିନ୍ନ କାର୍ୟ୍ୟକ୍ରମ ବ୍ୟସ୍ତ ରହୁଛି। ଦଳ ପକ୍ଷରୁ ଦିଆଯାଇଥିବା ଦାୟିତ୍ୱକୁ ସଠିକ ଭାବେ ନ୍ୟାୟ ଦେଇ ପାରିନାହିଁ । ସଂଗଠନକୁ ସମୟ ଦେଇପାରିନାହିଁ । ଏନେଇ ପୂର୍ବରୁ ମୁଁ ସୂଚନା ଦେଇଛି । ମୋ ରୁଚି ଓ ସାମର୍ଥ୍ୟ ଅନୁସାରେ ଯାହା ଦାୟିତ୍ୱ ଦିଆଯିବ, ଗ୍ରହଣ କରିବି ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜନୈତିକ ଦଳର ପରିଭାଷା ହେଲା କ୍ଷମତାକୁ ଆସିବାକୁ ହେଲେ ନିର୍ବାଚନ ଜିତିବାକୁ ପଡିବ । ନିର୍ବାଚନ ଜିତି କ୍ଷମତାକୁ ନଆସିଲେ ଲୋକଙ୍କ ଲାଗି ଯାହା କିଛି କରିବାକୁ ଚାହୁଁଛୁ କରିପାରିବୁ ନାହିଁ । ସ୍ୱାଭାବିକ ଭାବେ ସଂଗଠନକୁ ସୁଦୃଢ କରି ନିର୍ବାଚନକୁ ଯିବା ଏକ ରାଜନୈତିକ ଦଳର ସର୍ବାଧିକ ପ୍ରାଥମିକତା ରହୁଛି । ଲୋକଙ୍କ ସମର୍ଥନ ହାସଲ କରିବାକୁ ପଡେ । ସଂଗଠନ ଅଦଳବଦଳ ଏକ ନିରନ୍ତର ପ୍ରକ୍ରିୟା । ଯାବତୀୟ କୌଶଳ ହାତକୁ ନିଆଯାଏ । ପ୍ରଭାରୀ ପରିବର୍ତ୍ତନ, ପର୍ୟ୍ୟବେକ୍ଷକ ଅଦଳବଦଳ ମଧ୍ୟ ଏହାର ଅଂଶ ବିଶେଷ । ବିଜେଡି ପୁନର୍ବାର ସରକାର ଗଢିବ ବୋଲି ପୂର୍ବାନୁମାନ କରିଛନ୍ତି ସୌମ୍ୟ । ଯେଉଁ ଦଳ ଅମାନତ ହରାଇଛି, ସେମାନେ କ୍ଷମତାକୁ ଆସିବେ ବୋଲି କହୁଛନ୍ତି । ଆମେ ଲଗାତାର ୫ ଥର କ୍ଷମତାକୁ ଆସିଛୁ । ଷଷ୍ଠ ଥର ଲାଗି ଉଦ୍ୟମ କରୁଛୁ । ନବୀନ ବାବୁଙ୍କୁ ଯେଉଁ ଶ୍ରଦ୍ଧା, ସମ୍ମାନ ଓ ସମର୍ଥନ ଆଉ କାହାକୁ ମିଳିନାହିଁ । ୨୦୨୪ ରେ ମଧ୍ୟ ମିଳିବ ବୋଲି ସେ କହିଛନ୍ତି ।