ମରାଠୀ ଫିଲ୍ମରେ ଡେବ୍ୟୁ କରିବେ ନିକିତା, ‘ଘରତ୍‌ ଗଣପତି’ରେ ଆସିବେ ନଜର

Nov 11, 2022 - 05:21
 59
ମରାଠୀ ଫିଲ୍ମରେ ଡେବ୍ୟୁ କରିବେ ନିକିତା, ‘ଘରତ୍‌ ଗଣପତି’ରେ ଆସିବେ ନଜର
ମୁମ୍ଵାଇ ୧୧।୧୧: ‘କବିର ସିଂହ’ ଓ ସୁପର୍‌ନ୍ୟାଚୁରାଲ୍‌ ହରର୍‌ ଫିଲ୍ମ ‘ଡାଇବୁକ୍‌’ରେ ସୁନ୍ଦର ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିଥିଲେ ନିକିତା ଦତ୍ତ । ଏବେ ସେ ମରାଠୀ ସିନେମା ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି । ଫିଲ୍ମ ‘ଘରତ୍‌ ଗଣପତି’ରେ ଆସିବେ ନଜର । ଆସନ୍ତା ଡିସେମ୍ବରରେ ଫିଲ୍ମ ସୁଟିଂ ଆରମ୍ଭ ହେବ । ଫିଲ୍ମମେକର୍‌ ଏହାର ଟାଇଟଲ୍‌ ଜାରି କରିବା ସହିତ ଫିଲ୍ମ ଲୋଗୋର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ନବଜୋତ ବାନ୍ଦିୱାଡେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଗଣେଶ ଚତୁର୍ଥୀ ପର୍ବ ଉପରେ ପର୍ଯ୍ୟବସିତ। ଏ ବିଷୟରେ ନିକିତା କହିଛନ୍ତି ‘ଆଞ୍ଚଳିକ ସିନେମାରେ ପ୍ରବେଶ କରିବାକୁ ମୁଁ ସର୍ବଦା ଚାହିଁଛି। ସେ ଦୃଷ୍ଟିରୁ ‘ଘରତ୍‌ ଗଣପତି’ ମୋ ହିସାବରେ ଶ୍ରେଷ୍ଠ ଫିଲ୍ମ। ଫିଲ୍ମର ଏକାଧିକ ଭାବନା ରହିଛି, ଯାହା ମୋତେ ମୋର ଦକ୍ଷତା ପ୍ରଦର୍ଶନରେ ସାହାଯ୍ୟ କରିବ । ଦର୍ଶକ ଫିଲ୍ମଟିକୁ ଖୁବ୍‌ ପସନ୍ଦ କରିବେ ବୋଲି ମୁଁ ନିଶ୍ଚିତ । ମଲ୍ଟି-ଷ୍ଟାରର୍‌ ଏହି ଫିଲ୍ମରେ ଭୂଷଣ ପ୍ରଧାନ, ଆଶିଷ ପାଥୋଡଙ୍କ ଭଳି ଜଣାଶୁଣା ମରାଠୀ କଳାକାର ଅଭିନୟ କରିଛନ୍ତି । ଦୀର୍ଘ ବର୍ଷର କଠିନ ପରିଶ୍ରମ ପରେ ଫିଲ୍ମ ଘୋଷଣା କରିଥିବା ବାନ୍ଦିୱାଡେକର କହିଛନ୍ତି, ଏହାର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିବ । ଏହାର ଅଧିକାଂଶ ଭାଗକୁ ଲୋକେ ବାସ୍ତବ ଜୀବନ ସହ ମିଳାଇ ପାରିବେ। ଏକାଧିକ ବଲିଉଡ୍‌ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନିକିତା ନଜର ଆସିଛନ୍ତି । ‘ଲେକର୍‌ ହମ୍‌ ଦିୱାନା ଦିଲ୍‌’, ‘ଲଷ୍ଟ୍‌ ଷ୍ଟୋରିଜ୍‌’, ‘ଗୋଲ୍ଡ’, ‘ମସ୍‌କା’ ଓ ‘ଦ ବିଗ୍‌ ବୁଲ୍‌’ ଭଳି ଫିଲ୍ମ ସମେତ ‘ଡ୍ରିମ୍‌ ଗର୍ଲ-ଏକ୍‌ ଲଡ୍‌କି ଦିୱାନୀ ସି’, ‘ଏକ୍‌ ଦୁଜେ କେ ୱାସ୍‌ତେ’, ‘ହାସିଲ୍‌’ ଭଳି ଧାରାବାହିକରେ ମଧ୍ୟ ସେ କାମ କରିଛନ୍ତି । ସେତିକି ନୁହେଁ, ‘ସୁନ୍‌ ରେ ସଜ୍‌ନା’, ‘ଗୁନ୍‌ଗୁନାତି ରେହ୍‌ତି ହୁଁ’ ଓ ‘ମସ୍ତ ନଜ୍‌ରୋଁ ସେ’ ଭଳି ମ୍ୟୁଜିକ୍‌ ଭିଡିଓରେ ମଧ୍ୟ ସେ ଦର୍ଶକଙ୍କ ମନ କିଣିଛନ୍ତି ।