ଭାରତୀୟ ନୌସେନାରେ ସାମିଲ ହେଲା କଲବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ୱାଗିର୍‌’

Jan 23, 2023 - 07:24
 38
ଭାରତୀୟ ନୌସେନାରେ ସାମିଲ ହେଲା କଲବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ୱାଗିର୍‌’
ମୁମ୍ବାଇ: ଆଜି ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ୱାଗିର୍‌’କୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ‘ଆଇଏନ୍‌ଏସ୍‌ ୱାଗିର୍‌’ ନୌସେନାର ‘ଆଇଏସ୍‌ଆର୍‌’ ଓ ସ୍ବତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ। ଫରାସୀ ବୈଷୟିକ ଜ୍ଞାନକୌଶଳରେ ମୁମ୍ବାଇସ୍ଥିତ ମାଜାଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସ ଲିମିଟେଡ୍‌ଦ୍ବାରା ନିର୍ମିତ ‘ଆଇଏନ୍‌ଏସ୍‌ ୱାଗିର୍‌’ର ସାମିଲ ଉତ୍ସବରେ ‘ଚିଫ୍‌ ଅଫ୍‌ ନାଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ ଆର୍‌ ହରି କୁମାର ଯୋଗ ଦେଇଥିଲେ। ଏ ସଂକ୍ରାନ୍ତରେ ବିବୃତି ଦେଇ ନୌସେନା କହିଛି, ଶତ୍ରୁକୁ ଘଉଡ଼ାଇ ଭାରତର ସାମୁଦ୍ରିକ ସ୍ବାର୍ଥ ସୁଦୃଢ଼ କରିବା ପାଇଁ ନୌସେନାର ସାମର୍ଥ୍ୟ ବୃଦ୍ଧି କରିବା ସହିତ ଏହି ବୁଡ଼ାଜାହାଜ ସଙ୍କଟ ସମୟରେ ନିର୍ଣ୍ଣାୟକ ଆକ୍ରମଣ କରିବା ଲାଗି ଇଣ୍ଟେଲିଜେନ୍‌ସ୍‌, ସର୍ଭିଲେନ୍‌ସ୍‌ ଏବଂ ରିକୋନେସାନ୍‌ସ୍‌’ (ଆଇଏସ୍‌ଆର୍‌) ପରିଚାଳନା କରିବ। ‘ୱାଗିର୍‌’ ଅର୍ଥ ‘ବାଲି ହାଙ୍ଗର’ ବା ‘ସ୍ୟାଣ୍ଡ୍‌ ସାର୍କ’। ଏହା ଗୋପନୀୟତା ଓ ନିର୍ଭିକତାର ନିଦର୍ଶନ ଅଟେ। ଏ ଦୁଇଟି ଗୁଣ ହେଉଛି ଗୋଟାଏ ବୁଡ଼ାଜାହାଜ ଚାଳକର ନୈତିକ ଗୁଣ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି। ‘ଆଇଏନ୍‌ଏସ୍‌ ୱାଗିର୍‌’ରେ ବିଶ୍ବର ସର୍ବୋତ୍ତମ ସେନ୍‌ସର୍‌ମାନଙ୍କ ମଧ୍ୟରୁ କେତୋଟି ଲାଗିଛି। ଶତ୍ରୁର ବୃହଦ୍‌କାୟ ଯୁଦ୍ଧ‌ପୋତଗୁଡ଼ିକୁ ଧ୍ବଂସ କରିବା ଲାଗି ଏଥିରେ ଯଥେଷ୍ଟ ସଂଖ୍ୟକ ‘ୱାୟାର୍‌-ଗାଇଡେଡ୍‌ ଟର୍ପେଡୋ’ ଏବଂ ପାଣି ଭିତରୁ ଭୂପୃଷ୍ଠକୁ ନିକ୍ଷେପ କରିହେବା ଭଳି କ୍ଷେପଣାସ୍ତ୍ର ରହିଛି।