‘ମନ୍ କୀ ବାତ୍’ରେ ଗଣମାଧ୍ୟମର ବିଫଳତା

May 27, 2018 - 18:50
 489
‘ମନ୍ କୀ ବାତ୍’ରେ ଗଣମାଧ୍ୟମର ବିଫଳତା
କଟକ, ୨୬/୫(ସକାଳଖବର): ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍’ ଓଡ଼ିଶା ଗଣମାଧ୍ୟମର ମୁଖା ମୁଖା ଖୋଲିବା ସହ ସାମ୍ବାଦିକମାନେ କେତେ ଉପରଠାଉରିଆ ତାହା ସୂଚାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସିଧାସଳଖ ଗଣମାଧ୍ୟମ ବିଷୟରେ କିଛି କହିନଥିଲେ ମଧ୍ୟ କଟକର ଚା’ ବିକ୍ରେତା ଡି.ପ୍ରକାଶ ରାଓଙ୍କ ଜୀବନ ଚରିତ୍ରର ଉଦାହରଣ ସମଗ୍ର ଦେଶବାସୀଙ୍କ ନିକଟରେ ଉପସ୍ଥାପିତ କରି ରାଜ୍ୟ ଗଣମାଧ୍ୟମର ସଚେତନତା ପ୍ରତି ଆଙ୍ଗୁଳି ଉଠାଇଛନ୍ତି । ଗତକାଲି କଟକ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଡି.ପ୍ରକାଶ ରାଓଙ୍କୁ ଭେଟିବା ସହ ତାଙ୍କ ସହ ଥିବା ୧୫ ଜଣ ଅବହେଳିତ ପିଲାଙ୍କ ସହ ମଧ୍ୟ ୧୮ ମିନିଟ ଧରି କଥାବର୍ତ୍ତା କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ସଭାମଞ୍ଚକୁ ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ପାସ୍ ନିମନ୍ତେ ନିୟମିତ ଲୋକସଂପର୍କ କାର୍ଯ୍ୟାଳୟ ଓ ପୁଲିସ କାର୍ଯ୍ୟାଳୟକୁ ଦୌଡ଼ୁଥିବା ଗଣମାଧ୍ୟମ ପ୍ରତିନିଧି କିନ୍ତୁ ଏବିଷୟରେ କୌଣସି ସୂଚନା ଜାଣିପାରିନଥିଲେ । ପ୍ରଧାନମନ୍ତ୍ରୀ ଆସିଲେ ୨୬ ତାରିଖରେ । ୨୫ ତାରିଖରେ ଡି.ପ୍ରକାଶ ରାଓଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନକୁ ସୂଚନା ପ୍ରଦାନ କରାଯାଇଥିଲା । ସେହି ଅନୁଯାୟୀ ତାଙ୍କୁ ସଭାସ୍ଥଳକୁ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା । କିନ୍ତୁ ପତିଆରା ପାଇଁ ପାସ୍ ଖୋଜୁଥିବା ଗଣମାଧ୍ୟମ ପ୍ରତିନିଧି ପ୍ରଧାନମନ୍ତ୍ରୀଙ୍କ ଗସ୍ତର କାର୍ଯ୍ୟସୂଚୀ ସଂପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଜାଣିବା ପାଇଁ ଚାହିଁନଥିଲେ । ଫଳରେ ପ୍ରଧାନମନ୍ତ୍ରୀ ନିଜ ଗସ୍ତ ସମୟରେ ପ୍ରକାଶ ରାଓଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଥିବା ସଂପର୍କରେ ଜାଣିପାରିଲେ ନାହିଁ ।