ସରକାର ଶ୍ରୀମନ୍ଦିର ସମ୍ପର୍କରେ ବିଶେଷ ଧ୍ୟାନ ଦେଇନାହାଁନ୍ତି - ଗଜପତି

Feb 23, 2019 - 19:05
 134
ପୁରୀ, ୨୩/୨(ସକାଳଖବର): ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କୁ୍ୟରି ରଞ୍ଜିତ କୁମାର ଆଜି ବିଭିନ୍ନ ପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି । ପ୍ରଥମେ ସେ ଆଜି ସକାଳେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଏହା ପରେ ଗଜପତି ମହାରାଜାଙ୍କୁ ଶ୍ରୀନଅରରେ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ପୂର୍ବାହ୍ନରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଯୋଗଦେଇଥିଲେ । ଆମିକସ୍ କୁ୍ୟରି ଓ ଗଜପତି ମହାରାଜାଙ୍କ ସହିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲା ଦୌରାଜଜ୍ ଅମ୍ବୁଜ ମୋହନ ଦାଶ, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ଦାସ, ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା ଓ ଅନ୍ୟ ପ୍ରଶାସନିକ ଅଧିକାରୀ ସହିତ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆମିକସ୍ କୁ୍ୟରିଙ୍କ ସହିତ ବୈଠକ ପରେ ଗଜପତି ମହାରାଜା ନିଜ ପ୍ରତିକ୍ରିୟା ରଖିବା ସହ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳି ଉପରେ ପ୍ରଶ୍ନ ଉଠାଇଛନ୍ତି । ଗଜପତି କହିଛନ୍ତି ଯେ, ଶ୍ରୀମନ୍ଦିରରେ ମୁଖ୍ୟତଃ ତିନୋଟି କ୍ଷେତ୍ର ପ୍ରଶାସନିକ, ସେବକ ଓ ଧାର୍ମିକ ସଂସ୍କାରର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ଆଜି ଆମିକସ୍ କୁ୍ୟରିଙ୍କ ସହିତ ଆଲୋଚନା କରାଯାଇଛି । ଏହି କ୍ଷେତ୍ରରେ ସଂସ୍କାର ଆସିବା ପରେ ହିଁ ଅନ୍ୟ ଦିଗରେ ସୁଧାର ଆସିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୬୦ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ଦାୟୀତ୍ୱ ନେଇଥିଲେ । ସେବେଠୁ ସରକାର ଶ୍ରୀମନ୍ଦିର ସମ୍ପର୍କରେ ବିଶେଷ ଧ୍ୟାନ ଦେଇନାହାଁନ୍ତି । ଦେଶର ଅନ୍ୟ ଧାର୍ମିକ ପୀଠକୁ ସରକାର ନିଜ ହାତକୁ ନେବା ପରେ ସେସବୁ ସ୍ଥାନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଛି । ହେଲେ ଶ୍ରୀମନ୍ଦିରର ସମସ୍ୟା ଉପରେ ଧ୍ୟାନ ଦିଆଯାଇନାହିଁ । ଅନୁରୂପ ଭାବେ ଆମିକସ୍ କୁ୍ୟରିଙ୍କ ସହିତ ଛତିଶାନିଯୋଗର ବୈଠକ ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ମୁଖ୍ୟତଃ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ୧୨ ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ସେଗୁଡିକ ମଧ୍ୟରେ ବଂଶାନୁକ୍ରମିକ ସେବକ ନିଯୁକ୍ତି ଉଚ୍ଛେଦ, ଅନ୍ନଦାନ ଆଟିକା ଓ ଦାନ ସଂଗ୍ରହ ବନ୍ଦ, ଥାଳି ଦାନ ବ୍ୟବସ୍ଥା ନିଷିଦ୍ଧ କରିବା, ରୋଷ ଘର ଚୁଲି ଦାୟୀତ୍ୱ ଶ୍ରୀମନ୍ଦିର ପ୍ରଶାସନ ହାତରେ ନ୍ୟସ୍ତ କରିବା, ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ନିମନ୍ତେ ପୃଥକ୍ ପୃଥକ୍ ଶୌଚାଳୟ ବ୍ୟବସ୍ଥା, ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ କରିବା, ଶ୍ରୀମନ୍ଦିର ପାଣ୍ଠି ଆକାଉଂଟ ଜେନେରାଲଙ୍କ ଦ୍ୱାରା ଯାଂଚ୍ ବ୍ୟବସ୍ଥା, ସେବକ ଓ କର୍ମଚାରୀଙ୍କୁ ପରିଚୟପତ୍ର ପ୍ରଦାନ କରିବା, ଗାଇଡ଼୍ ମାନଙ୍କୁ ପଞ୍ଜିକୃତ କରିବା, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ସଂଖ୍ୟା କମାଇବା, ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏକକ କର୍ତୃପକ୍ଷ ବ୍ୟବସ୍ଥା ଓ ଶ୍ରୀମନ୍ଦିର ଆଇନର ସଂଶୋଧନ ଆଦି ସଂସ୍କାରମୂଳକ ପଦକ୍ଷେପ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।