ମଂଚେଶ୍ୱରରେ ଉଦ୍ଘାଟିତ ହେଲା ଏସସିଏସଟି ହବ ସମ୍ମିଳନୀ ଓ ପ୍ରଦର୍ଶନୀ

Aug 30, 2018 - 19:11
 152
ମଂଚେଶ୍ୱରରେ ଉଦ୍ଘାଟିତ ହେଲା ଏସସିଏସଟି ହବ ସମ୍ମିଳନୀ ଓ ପ୍ରଦର୍ଶନୀ
ଭୁବନେଶ୍ୱର,୩୦/୮ (ସକାଳକବର): ରାଷ୍ଟ୍ରୀୟ ତଫସିଲଭୁକ୍ତ ଜାତି, ଜନଜାତି ହବ୍ ଉଦ୍ୟୋଗ ପ୍ରଦର୍ଶନୀ ଭୁବନେଶ୍ୱରଠାରେ ଆରମ୍ଭ ହୋଇଛି । ଏଥିସହିତ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମର ସମନ୍ୱିତ ବିପଣନ ବିକାଶ କେନ୍ଦ୍ର ଧର୍ମପଦ ଭବନ ଉଦଘାଟିତ ହୋଇଛି । ଏହି ଭବନରେ ପରିଧାନ ପ୍ରଶିକ୍ଷଣ ତଥା ଅଙ୍କୁରଣ କେନ୍ଦ୍ରକୁ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଏବଂ କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ଗିରିରାଜ ସିଂହଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ କ୍ଷୁଦ୍ରଶିଳ୍ପ ନିଗମ ଆଜି ସିଡ୍ବି, ରାଉରକେଲା ଇସ୍ପାତ କାରଖାନା ଏବଂ ସଫ୍ଟେଓର ସଂସ୍ଥା ଏସଏପି ମଧ୍ୟରେ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷର କରିଛି । ତିନି କେନ୍ଦ୍ର ମନ୍ତ୍ରୀ ଏହି ସମାରୋହରେ ତଫସିଲଭୁକ୍ତ ଜାତି ଓ ଜନଜାତି ସମ୍ମିଳନୀ ତଥା ଧର୍ମପଦ ଭବନ ଏବଂ ପରିଧାନ ପ୍ରଶିକ୍ଷଣ ତଥା ଅଙ୍କୁରଣ କେନ୍ଦ୍ରକୁ ଉଦଘାଟନ କରିଥିଲେ । ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଦାୟିତ୍ୱ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର । ଅନ୍ୟ ରାଜ୍ୟକୁ ଯିବା ଅପେକ୍ଷା ନିଜ ରାଜ୍ୟରେ ଆତ୍ମନିଯୁକ୍ତିର ସୁଯୋଗ ପାଇଁ ଅପେକ୍ଷା କରିଛନ୍ତି ଅନେକ ଶିକ୍ଷିତ ଯୁବକ ଯୁବତୀ । ତେବେ ଆଜି ଉଦଘାଟିତ ଧର୍ମପଦ ଭବନ, ଓଡ଼ିଶାର ଯୁବକଯୁବତୀ ବିଶେଷକରି ତଫସିଲଭୁକ୍ତ ଜାତି ଓ ଉପଜାତିର ଯୁବକଯୁବତୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମାର୍ଗଦର୍ଶନ କରିବ । ସେ କହିଥିଲେ ଯେ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର, ପୂର୍ବ ଉତରପ୍ରଦେଶରେ ୩୫ ବର୍ଷରୁ କମ ବୟସର ଯୁବକଙ୍କ ସଂଖ୍ୟା ଅଧିକ । ଏବେ କେନ୍ଦ୍ର ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଆରମ୍ଭ କରିଥିବା “ଏକ ଜିଲ୍ଲା ଏକ ସାମଗ୍ରୀ ଉଦ୍ୟୋଗ” ସ୍କିମ ଅଧିନରେ ରାଜ୍ୟରେ ଅନେକ ଛୋଟ ବଡ ୟୁନିଟ ପ୍ରତିଷ୍ଠା କରାଯାଇପାରିବ । ଅବିଭକ୍ତ କୋରାପୁଟ ଜିଲାର ଜୈବିକ ପନିପରିବା, ଗଂଜାମ ଜିଲ୍ଲାର ସୁଗନ୍ଧିତ କିଆ ଫୁଲ, ଉପକୂଳ ଅଂଚଳର ମାଛ, କନ୍ଧମାଳର ହଳଦୀ, ପଶ୍ଚିମ ଓଡ଼ିଶାର ବୟନ ସାମଗ୍ରୀ ଆଦି କ୍ଷେତ୍ରରେ ଛୋଟ ଛୋଟ ଶିଳ୍ପପୁଂଜମାନ ପ୍ରତିଷ୍ଠା କରାଯାଇପାରିବ । ଏହାଦ୍ୱାରା ଅନେକ ଯୁବକଯୁବତୀ ବିଶେଷକରି ତଫସିଲଭୁକ୍ତ ଜାତି ଓ ଉପଜାତିର ଉଦ୍ୟମୀମାନେ ନୂଆ ନୂଆ ଷ୍ଟାର୍ଟ ଅପ ପ୍ରତିଷ୍ଠା କରିପାରିବେ ।ଧର୍ମପଦ ଭବନରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏକ ସୂଚନା ହେଲ୍ପଲାଇନ ପ୍ରତିଷ୍ଠା କରାଯାଉଛି । ଏହାଦ୍ୱାରା ଆଗ୍ରହୀ ଯୁବକଯୁବତୀମାନଙ୍କୁ ନୂଆ ନୂଆ କ୍ଷୁଦ୍ର ଉଦ୍ୟୋଗ ବିଷୟରେ ବ୍ୟାପକ ସୂଚନା, ପ୍ରଶିକ୍ଷଣର ସୁଯୋଗ ଆଦି ବିଷୟରେ ମାର୍ଗଦର୍ଶନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିିଥିଲେ