ଭାରତୀୟ ମହିଳା ଦଳର କମାଲ୍, ଇଂଲଣ୍ଡକୁ ହରାଇ ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲ୍‌ରେ କ୍ରିକେଟ୍ ଟିମ୍

Aug 6, 2022 - 13:56
 60
ଭାରତୀୟ ମହିଳା ଦଳର କମାଲ୍, ଇଂଲଣ୍ଡକୁ ହରାଇ ରାଜ୍ୟଗୋଷ୍ଠୀ କ୍ରୀଡା ଫାଇନାଲ୍‌ରେ କ୍ରିକେଟ୍ ଟିମ୍
ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଫାଇନାଲ୍‌ରେ ଭାରତୀୟ ମହିଳା କ୍ରିକେଟ୍ ଦଳ। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡାର ସେମି ଫାଇନାଲ୍‌ରେ ଇଂଲଣ୍ଡକୁ ୪ ରନରେ ହରାଇଛି। ଏହି ବିଜୟ ସହ ପ୍ରଥମ ଥର ରାଜ୍ୟଗୋଷ୍ଠୀ କ୍ରୀଡାର ଫାଇନାଲ୍‌ରେ ପହଞ୍ଚିଛି ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସ ରଚିଛି। ଏହା ସହିତ ଭାରତ ନାଁରେ ସ୍ଵର୍ଣ୍ଣ କିମ୍ବା ରୌପ୍ୟ ପଦକ ସୁନିଶ୍ଚିତ ହୋଇ ଯାଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ମନ୍ଧାନାଙ୍କ ବିସ୍ଫୋରକ ୬୧ ରନ ଏବଂ ରଡ୍ରିଗସ୍‌ଙ୍କ ଅପରାଜିତ ୪୪ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୬୪ ରନ କରିଥିଲା। ଜବାବରେ ଘରୋଇ ଇଂଲଣ୍ଡ ୬ ଓ୍ଵିକେଟ୍ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଛି। ନାଟାଲିଏ ସ୍କିଭର ସର୍ବାଧିକ ୪୧ ରନ କରିଛନ୍ତି। ଡାନିଏଲ ଓ୍ଵିଟ୍ ୩୫ ଏବଂ ଆମି ଜୋନ୍ସ ୩୧ ରନ କରିଥିଲେ ହଁ ଦଳକୁ ଜିତାଇ ପାରି ନାହାନ୍ତି। ଭାରତ ୪ ରନର ଦମଦାର ବିଜୟ ହାସଲ କରିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନିଂରେ ସ୍ମୃତି ମନ୍ଧାନା ଏବଂ ସେଫାଳି ବର୍ମା ୭୬ ରନ ଯୋଡି ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି ସ୍ମୃତି ମନ୍ଧାନା ବିସ୍ଫୋରକ ବ୍ୟାଟିଂ କରି ପାଓ୍ଵାର ପ୍ଲେ ଭିତରେ ହିଁ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ମାତ୍ର ୨୩ ବଲରୁ ଭାରତ ପକ୍ଷରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ଖେଳାଳି ହୋଇଛନ୍ତି। ସେଫାଳି ବର୍ମା ୧୫ ରନ କରି ଆଉଟ୍ ହୋଇଥିଲେ। ପରେ ପରେ ମନ୍ଧାନା ୩୨ ବଲ୍‌ରୁ ୮ ଚୌକା ଏବଂ ୩ ଛକା ସହ ୬୧ ରନର ଧୂଆଁଧାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ହରମନପ୍ରୀତ କୌର ଏବଂ ରଡ୍ରିଗଜ ତୃତୀୟ ଓ୍ଵିକେଟରେ ୨୮ ରନ ଯୋଡିଥିଲେ। ଅଧିନାୟକ ହରମନପ୍ରୀତ ୨୦ ରନ କରି ଆଉଟ୍ ହୋଇଥିଲେ। ରଡ୍ରିଗଜ ଏବଂ ଦୀପ୍ତି ଶର୍ମା ରନ ଗତି ବଜାୟ ରଖି ଚତୁର୍ଥ ଓ୍ଵିକେଟ୍‌ରେ ୫୩ ରନ ଯୋଡିବାରୁ ଦଳ ବଡ ସ୍କୋର କରିବାରେ ସଫଳ ହୋଇଥିଲା। ଦୀପ୍ତି ଶର୍ମା ୨୨ ରନ କରିଥିଲେ। ରଡ୍ରିଗଜ ୩୧ ବଲ୍‌ରୁ ୭ ଚୌକା ସହ ୪୪ ରନର ମହତ୍ଵପୂର୍ଣ୍ଣ ଇନିଂସ ଖେଳି ଅପରାଜିତ ଥିଲେ। ଶେଷରେ ଭାରତ ୫ ଓ୍ଵିକେଟ୍ ହରାଇ ୧୬୪ ରନ କରିଥିଲା।